
ସାଲେପୁର, ସାଲେପୁର ଅଂଚଳରେ ଚୋରା ମଦ କାରବାର ବଢିବାରେ ଲାଗିଛି । ସଞ୍ଜ ହେଲେ ଗ୍ରାମାଂଚଳର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ନିଶାଖୋରମାନଙ୍କ ଆଡ୍ଡା ଜମୁଥିବା ସ୍ଥଳେ ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଛି । କେତେକ ଅସାଧୁ କର୍ମଚାରୀ ନିଶା ବ୍ୟବସାୟୀଙ୍କ ସହ ଭିତିର ସମ୍ପର୍କ ରଖି ଏହି ନିଶା କାରବାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି ।
ଅପରପକ୍ଷରେ ନାମକୁ ମାତ୍ର ଛୋଟ ଛୋଟ ନିଶା ବ୍ୟବସାୟୀଙ୍କୁ ଧରି ଅବକାରୀ ବିଭାଗ ବାଃ ବାଃ ନେଉଥିବା ବେଳେ ବଡ ବଡ ନିଶା ବେପାରୀଙ୍କୁ ଧରିବାରେ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ଉଠିଛି । ଫଳରେ ସଂଧ୍ୟା ହେଲେ ଗ୍ରାମାଂଚଳର ବିଭିନ୍ନ ଛକରେ ନିଶାଖୋରଙ୍କ ଆଡ୍ଡା ଜମୁଛି । ମହିଳାମାନେ ଘରୁ ପଦାକୁ ବାହାରିବା ପାଇଁ ଉଚିତ୍ ମଣୁ ନାହାଁନ୍ତି । ସାଲେପୁରରେ ଥିବା କେତେକ ସ୍ୱୀକୃତୀପ୍ରାପ୍ତ ବିଦେଶୀ ମଦ ଦୋକାନ ଗ୍ରାମାଂଚଳର ଏହି ଚୋରା ମଦ ବ୍ୟବସାୟୀଙ୍କୁ ବିଭିନ୍ନ କମ୍ପାନୀର ମଦ ଯୋଗାଣ କରୁଛନ୍ତି । ସକାଳ ୧୦ ଟା ପରେ ସ୍ୱୀକୃତୀ ପ୍ରାପ୍ତ ମଦ ଦୋକାନ ଗୁଡିକ ଖୋଲିବାର ସରକାରୀ ନିୟମ ଥିଲା ବେଳେ ସାଲେପୁରର ଏକାଧିକ ସ୍ୱୀକୃତୀପ୍ରାପ୍ତ ମଦ ଦୋକାନର କର୍ମଚାରୀମାନେ ଭୋର୍ ସମୟରେ ଗ୍ରାମାଂଚଳର ଏହି ଚୋରା ନିଶା ବ୍ୟବସାୟୀଙ୍କୁ ନିଜ କାଉଣ୍ଟରକୁ ଡକାଇ ସେମାନଙ୍କୁ ବହୁ ପରିମାଣର ମଦ ବିକ୍ରି କରୁଛନ୍ତି । ଏପରିକି ଅଧିକାଂଶ ବିଦେଶୀ ମଦ ଦୋକାନରେ ନକଲି ମଦ ବିକ୍ରି କରାଯାଉଥିବାର ଅଭିଯୋଗ ଶୁଣିବାକୁ ମିଳୁଛି । ଅବକାରୀ ବିଭାଗ ଏ ଦିଗରେ ନୀରବଦ୍ରଷ୍ଟା ସାଜିଥିବା ବେଳେ ସାଲେପୁର ପୋଲିସ ବିଦେଶୀ ମଦ ଦୋକାନରୁ ବିପୁଳ ମାତ୍ରାରେ ଚୋରା ମଦ ନେଇ ଯାଉଥିବା ବ୍ୟବସାୟୀକୁ ଗିରଫ କରୁଛି । ଏହି ଚୋରା ମଦ ବ୍ୟବସାୟୀମାନେ ସାଲେପୁର ଅଂଚଳରୁ ମଦ ନେଇ ଗ୍ରାମାଂଚଳରେ ଥିବା ବିଭିନ୍ନ ସ୍ଥାନରେ ସଂଧ୍ୟା ହେଲେ ନିଜର ମଦର ପସରା ଖୋଲି ଦେଉଛନ୍ତି । ମଦ୍ୟପାନ କରି ବେକାର ଯୁବକମାନେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଗ୍ରାମାଂଚଳରେ ଚୋରା ମଦ କାରବାର କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଲେପୁର ଅଂଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କ ପକ୍ଷରୁ ଦାବି ହୋଇଛି ।