ସାଲେପୁର, କଟକ ଜିଲ୍ଲା ମାହାଙ୍ଗା ବ୍ଲକର ହଳଦିଆ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ କରାନଯାଇ ଅଯୋଗ୍ୟମାନଙ୍କୁ ପକ୍କାଘର ପ୍ରଦାନ କରାଯାଇଥିବା ଅଭିଯୋଗ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କାହା ସ୍ୱାର୍ଥରେ ସରକାରୀ ଯୋଜନାରେ ପକ୍କାଘର ପ୍ରଦାନ କରାଯାଉଛି । ସୂଚନାରୁ ଜଣାପଡିଛି ଯେ, ହଳଦିଆ ପଂଚାୟତର ହଳଦିଆ ଗ୍ରାମ (କୁଣ୍ଡ ପାଟଣା) ଅକ୍ଷୟ କୁମାର ସାହୁ ଅତି ଦୟନୀୟ ଅବସ୍ଥାରେ ଚାଳ ଛପର ଘରେ ରହୁଛନ୍ତି । ତାଙ୍କର ସ୍ତ୍ରୀ ଓ ଦୁଇ ପିଲା ମଧ୍ୟ ଅଛନ୍ତି । ଏପରିକି ତାଙ୍କ ନାମରେ କୌଣସି ରାସନ କାର୍ଡ ନାହିଁ । ପୂର୍ବରୁ ସରକାରୀ ଯୋଜନାରେ ସେ କୌଣସି ପକ୍କାଘର ପାଇନାହାନ୍ତି ।
ଏଠାରେ ସୂଚନାଯୋଗ୍ୟ, ହଳଦିଆ ପଂଚାୟତରେ ସ୍ଥାନୀୟ ସରପଂଚ ନିଜର ସମର୍ଥକମାନଙ୍କୁ ସରକାରୀ ଯୋଜନାରେ ପକ୍କାଘର ପ୍ରଦାନ କରିଛନ୍ତି । ପାଇବାକୁ ଯୋଗ୍ୟ ହୋଇନଥିବା ବ୍ୟକ୍ତିକୁ ମଧ୍ୟ ପକ୍କାଘର ପ୍ରଦାନ କରାଯାଇଛି । ପକ୍କାଘର ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି । ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଂଚିତ ହେଉଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମୋ ବଗିଚା ଏପରିକି ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ହାତେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଗରିବ ଅକ୍ଷୟଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ବ୍ଲକ ପ୍ରଶାସନ ବି ତାଙ୍କ ଦୁଃଖ ଶୁଣୁ ନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।