ସାଲେପୁର, ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ପ୍ରଶାସନ ଏବେ ଶାସକ ଦଳର କଥାରେ ପରିଚାଳିତ, ଯାହା ଫଳରେ ବିଭିନ୍ନ ପଂଚାୟତରେ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଥିବା ଏପରିକି ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ମଧ୍ୟ ଠିକାଦାର ଢଳେଇ କାମ କରୁଛନ୍ତି । ଛୁଟି ଦିନରେ ମଧ୍ୟ ମାହାଙ୍ଗାର ବିଭିନ୍ନ ପଂଚାୟତରେ ଗାଁ ରାସ୍ତାର ଢଳେଇ କାମ ଚାଲିଛି । ହେଲେ ଜନସାଧାରଣଙ୍କ ଅଭିଯୋଗକୁ ବ୍ଲକ୍ ପ୍ରଶାସନ ଖାତିର କରୁନାହିଁ । ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକର ଚନ୍ଦ୍ରାଦେଇପୁର, ମହଣ, ପାଗା, ଗୋପୀନାଥପୁର, ରାମକୃଷ୍ଣପୁର, ଲିଖନପୁର, ଫଗୋଳ, ଶିର୍ଲୋ, ନେମାଳ, ଝାଡେଶ୍ୱରପୁର, କେରିଲୋ, କୋଲଣପୁର, କେନ୍ଦୁପାଟଣା ଆଦି ପଂଚାୟତମାନଙ୍କରେ ରାସ୍ତା ଢଳେଇଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ନରହିବାରୁ ଠିକାଦାରମାନେ ନିଜ ଇଚ୍ଛାରେ କାମ କରୁଛନ୍ତି । ଫଳରେ ଏହି କାମର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ କାର୍ଯ୍ୟାରମ୍ଭ ପୂର୍ବରୁ ନାମ ଫଳକ ଦିଆଯାଉନଥିବାରୁ ସାଧାରଣ ଲୋକମାନଙ୍କୁ ଠିକାଦର ଓ ସରକାରୀ କର୍ମଚାରୀମାନେ ଠକିବା ସହଜ ହେଉଛି ବୋଲି ଅଭିଯୋଗ ହେଉଛି । ସମ୍ପୃକ୍ତ ଅଂଚଳରେ ହେଉଥିବା କାମର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ଏହି କାମର ବିବରଣୀ ସମ୍ପର୍କରେ କୌଣସି ଫଳକ ନାହିଁ, ହେଲେ ବିଲ୍ ହୋଇସାରିଥିବା ଅଭିଯୋଗ ହେଉଛି । ଏହାର ଉଦାହରଣ ପାଲଟିଛି ଭଦ୍ରେଶ୍ୱର ଗ୍ରାମ ପଂଚାୟତ । ଗତ ତିନି ଦିନ ତଳେ ପଂଚାୟତ ସମିତି ମାହାଙ୍ଗା, ଭଦ୍ରେଶ୍ୱର ଗ୍ରାମ ପଂଚାୟତ ପ୍ରକଳ୍ପର ନାମ ୮. ଜି କେନାଲ ଠାରୁ ଝାଡେଶ୍ୱରପୁର ଡାଳିମ୍ବ ହରିଜନ ସାହି ସାହି ରାସ୍ତା (୨୦୨୧-୨୨) ଅଟକଳର ମୂଲ୍ୟ ୩ ଲକ୍ଷ ଟଙ୍କା ଯୋଜନା ରିପାୟାରିଂ ଆଣ୍ଡ ମେଂଟେନାନ୍ସ ଅଫ୍ ରୋଡ ଆଣ୍ଡ ବ୍ରିଜ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟ ନିର୍ବାହୀ ବିଭାଗୀୟ ବୋର୍ଡରେ ଉଲ୍ଲେଖ ରହିଥିଲା । ୨୩/୧୨/୨୦୨୧ରେ କାମ ଆରମ୍ଭ ହୋଇଥିବା ଦର୍ଶାଯାଇଛି । ଏହି କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହିଥିଲେ । କାମ କରୁଥିବା ବ୍ୟକ୍ତିଟି ନିଜ ମନଇଚ୍ଛା ଭାଗ ପକାଇଥିଲା । ଯାହା ଅତି ନିମ୍ନମାନର ଭାଗ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି ଏହି ପଂଚାୟତରେ ଗତ କିଛିଦିନ ତଳେ ଗୋବିନ୍ଦପୁର ଗ୍ରାମର ନନ୍ଦ ସାହି ରାସ୍ତା କାର୍ଯ୍ୟ କରାଯାଇଥିଲା । ସେ ସମୟରେ ବି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଥିଲେ । ଏଠାରେ ଚର୍ଚ୍ଚା ହେଉଛି ଯେ, କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କିଭଳି ଢଳେଇ କାମ ଚାଲିଛି । ବିଜେଡି କର୍ମୀଙ୍କୁ ସନୁଷ୍ଟ କରିବା ପାଇଁ ବ୍ଲକ୍ ପ୍ରଶାସନ ଏବେ ମାହାଙ୍ଗା ବ୍ଲକରେ ଠିକା ନେଇଛି । ଯାହା ଫଳରେ ସାଧାରଣରେ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । କେବଳ ଭଦ୍ରେଶ୍ୱର ପଂଚାୟତରେ ନୁହେଁ ମାହାଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବହୁ ବେନିୟମ କାମ ଚାଲିଛି । ଏଠାରେ ମୋଟା ଅଙ୍କରେ ପିସି କାରବାର ହେଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।