-
କଟକଣା ଭିତରେ ୫ ଲକ୍ଷ ୭୬ ହଜାର ପରୀକ୍ଷା ଦେବେ ପ୍ରଥମ ସମେଟିଭ୍ ପରୀକ୍ଷା
ଭୁବନେଶ୍ୱର, ଆସନ୍ତାକାଲି (ବୁଧବାର)ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ୩ ଦିନ ୨ଟି ସିଟିଂରେ ଥିଓରୀ ପରୀକ୍ଷା ହେବ । ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଂଟରରେ ପ୍ରଶ୍ନପତ୍ର ପହଂଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ପ୍ରଶ୍ନ ପତ୍ର ରଖାଯାଇଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ପ୍ରକାର ବ୍ୟବସ୍ଥା କରିବାପାଇଁ ବୋର୍ଡ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିଲା । ତୃତୀୟ ଲହରର ଆଶଙ୍କା ରହିଥିବାରୁ ସମେଟିଭ୍-୧ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଥର ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀ ତାର ଗୁରୁତ୍ୱକୁ ଉପଲବ୍ଧି କରିଛନ୍ତି । ଏହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢିବ ।
ସେହିପରି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ନୋଡାଲ ସେଂଟର ଗୁଡିକରେ ମ୍ୟାଟେରିଆଲ ପହଂଚିସାରିଛି । ପରୀକ୍ଷାର ସୁପରିଚାଳନା ପାଇଁ ଡିଇଓଙ୍କ ନେତୃତ୍ୱରେ ସ୍କ୍ୱାର୍ଡ ଗଠନ କରାଯାଇଛି । ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସୁପରଭିଜନ୍ ରେ ପଠାଇବାକୁ କହିଛୁ ।
ସୂଚନା ଅନୁଯାୟୀ ସକାଳ ସାଢ଼େ ୮ଟା ବେଳେ ନୋଡାଲ ସେଂଟରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଂଚିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗରୁତ୍ୱ ଦିଆଯାଇଛି । ପ୍ରତିଟି ଶ୍ରେଣୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ନେଇ ନିଷ୍ପତି ହୋଇଛି । ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି । ପରୀକ୍ଷା କେନ୍ଦ୍ରର ସୁପରଟେଣ୍ଡମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବା ନେଇ ନିର୍ଦେଶ ଦିଆଯାଇଛି ।