
ନୂଆଦିଲ୍ଲୀ, ଅଲ ଇଣ୍ଡିଆ ରେଡିଓର ଏକ୍ସଟର୍ନାଲ ସର୍ଭିସ ଡିଭିଜନ ଛଅଟି ପଡୋଶୀ ଦେଶର ଭାଷାରେ ନିଜର ପ୍ରସାରଣ ସମୟକୁ ସୋମବାର ଠାରୁ ଦୁଇ ଗୁଣ କରିଛି । ବର୍ତମାନ ଦରି (ଫାରସି), ପଶ୍ତୋ, ବଲୁଚି,ମ୍ୟାଣ୍ଡାରିନ, ଚାଇନିଜ, ନେପାଳୀ ଓ ତିବ୍ବତୀ ଭାଷାରେ ସକାଳେ ଓ ସଂଧ୍ୟାରେ ପ୍ରତିଦିନ ଶର୍ଟ ୱେଭ ଫ୍ରିକ୍ୟୁନ୍ସିରେ ଉପଲବ୍ଧ ହେବ । ଏହା ବ୍ୟତୀତ ବର୍ମୀ ଭାଷାରେ ମଧ୍ୟ ପ୍ରସାରଣ ସମୟରେ ପରିବର୍ତନ କରାଯାଇଛି ।
ପ୍ରସାର ଭାରତୀ ପକ୍ଷରୁ ଜାରୀ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ ଏହି ଭାଷା ଗୁଡିକରେ ପ୍ରତିଦିନ ଏକ ଘଂଟାରୁ ଦେଢ ଘଂଟା ଯାଏ ପ୍ରସାରଣ କରାଯାଉଥିଲା । ଏହାକୁ ବଢାଇ ଏବେ ପ୍ରତିଦିନ ତିନି ଘଂଟା କରାଯାଇଛି । ଏଆଇଆରର ସମସ୍ତ ବିଶ୍ୱ ବ୍ରୋଡକାଷ୍ଟିଂ ଚ୍ୟାନେଲ ଏଆଇଆର ୱର୍ଲ୍ଡ ସର୍ଭିସ, ନ୍ୟୁଜ ଅନ ଏଆଇଆର ଆପ୍ଲିକେସନ ଓ ଡିଡି ଫ୍ରି ଡିଶରେ ଏହାକୁ ଶୁଣାଯାଇ ପାରିବ ।
ଦରି (ଫାରସି) ସେବାର ପ୍ରସାରଣ ସକାଳ 10ଟାରୁ 11.30ଟା ଯାଏ ଓ ସଂଧ୍ୟାରେ 7ଟାରୁ 8.30 ଯାଏ 9950 କିଲୋହର୍ଜ ଫ୍ରିକ୍ୟୁଏନ୍ସିରେ କରାଯିବ । ପଶ୍ତୋ ସେବାର ପ୍ରସାରଣ ସକାଳ 10ଟାରୁ 11.30ଟା ଯାଏ ଓ ସଂଧ୍ୟାରେ 6ଟାରୁ 7.30 ଯାଏ 11560 କିଲୋହର୍ଜ ଫ୍ରିକ୍ୟୁଏନ୍ସିରେ କରାଯିବ । ବଲୁଚି ସେବାର ପ୍ରସାରଣ ସକାଳ 8.30ଟାରୁ 10.00ଟା ଯାଏ ଓ ସଂଧ୍ୟାରେ 6 ଟାରୁ 7.00 ଯାଏ 9950 କିଲୋହର୍ଜ ଫ୍ରିକ୍ୟୁଏନ୍ସିରେ କରାଯିବ। ମାଣ୍ଡରିନ (ଚୀନୀ) ସେବାର ପ୍ରସାରଣ ସକାଳ 5.15 ଟାରୁ 6.45ଟା ଯାଏ ଓ ସଂଧ୍ୟାରେ 4 ଟାରୁ 5.30 ଯାଏ 13795 କିଲୋହର୍ଜ ଫ୍ରିକ୍ୟୁଏନ୍ସିରେ କରାଯିବ।
ତିବ୍ବତୀ ସେବାର ପ୍ରସାରଣ ସକାଳ 6.30 ଟାରୁ 8.00ଟା ଯାଏ ଓ ସଂଧ୍ୟାରେ 4.15 ଟାରୁ 5.45 ଯାଏ 11590 କିଲୋହର୍ଜ ଫ୍ରିକ୍ୟୁଏନ୍ସିରେ କରାଯିବ। ନେପାଳୀ ସେବାର ପ୍ରସାରଣ ସକାଳ 7.15 ଟାରୁ 8.45 ଟା ଯାଏ ଓ ସଂଧ୍ୟାରେ 2.00 ଟାରୁ 4.00 ଯାଏ 9950 କିଲୋହର୍ଜ ଫ୍ରିକ୍ୟୁଏନ୍ସିରେ କରାଯିବ। ବର୍ମି ସେବାର ସମୟ ସକାଳ 8.15ରୁ 9.00 ଠାରୁ 8.45ରୁ 9.45 ଯାଏ ବଦଳାଯିବ ।