ଭୁବନେଶ୍ୱର, ଆସନ୍ତା ୭ ତାରିଖରେ ସବୁଜ ପତ୍ରିକାଧାରୀମାନେ ନବୀନ ନିବାସ ଘେରାଉ କରିବେ । ପରିଚୟପତ୍ର ପ୍ରଦାନ ଦାବିରେ ନିଖିଳ ଓଡ଼ିଶା ସବୁଜ ପତ୍ରିକାଧାରୀ ସଂଘ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ କମିଟି ସଭାପତି ସୁର ଜେନା ସୂଚନା ଦେଇଛନ୍ତି ।
ଏଆଇଟିୟୁସି ସହ ଅନୁବନ୍ଧିତ ନିଖିଳ ଓଡ଼ିଶା ସବୁଜ ପତ୍ରିକାଧାରୀ ସଂଘର ରାଜ୍ୟ କମିଟି ବୈଠକ ସୋମବାର ଅଶୋକନଗରସ୍ଥିତ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସବୁଜପତ୍ରିକାଧାରୀମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ୨୦୧୨ ମସିହା ପରଠାରୁ ସବୁଜପତ୍ରିକାଧାରୀମାନଙ୍କୁ ଆଉ ପରିଚୟପତ୍ର ଦିଆଯାଇ ନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ପଂଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ସାହାଯ୍ୟ ଓ ପ୍ୟାକେଜ ଘୋଷଣା କରି ଚାଲିଥିବାବେଳେ ରାଜ୍ୟର ୨୬ଲକ୍ଷ ସବୁଜ ପତ୍ରିକାଧାରୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଏହି ବୈଠକରେ ତାହାର ଘୋର ନିନ୍ଦା କରାଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ମାର୍ଥା, କୈଳାସ ପୁହାଣ, ଦୈତାରି ସାହୁ, ମାନସୀ ମାଝୀ, ରେଣୁବାଳା ମହାରଣା, ରଞ୍ଜିତା ସାହୁ, ଦେବସ୍ମିତା ସାହୁ ଓ ପ୍ରତିମା ବରାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥଲେ ।