
ଭୁବନେଶ୍ୱର, ରାଜ୍ୟର ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ସଂରକ୍ଷଣ ତାଲିକା ତ୍ରୃଟିପୂର୍ଣ୍ଣ ଦର୍ଶାଇବା ଯୋଗୁଁ ରାଜ୍ୟ ସରକାର ଯେଉଁ ସଂଶୋଧନ ପ୍ରସ୍ତାବ ପ୍ରକାଶ କରିଛନ୍ତି ତାହା ମଧ୍ୟ ଘୋର ତୃଟି ପୂର୍ଣ୍ଣ ବୋଲି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ।
ଏକ ପ୍ରେସ ବିବୃତିରେ ସେ ରାଜ୍ୟର ୨୩ଟି ଜିଲ୍ଲାରେ ଆଦିବାସୀ ସଂପ୍ରଦାୟ ନିମନ୍ତେ ସଂରକ୍ଷଣ ନାହିଁ ବୋଲି ଦର୍ଶାଯାଇଛି । ଆଦିବାସୀ ଓ ଦଳିତମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଏକ ସାମ୍ବିଧାନିକ ନିର୍ଦ୍ଦେଶ । ତଦନୁଯାୟୀ ଓଡିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡିଶା ପଂଚାୟତ ସମିତି ଆଇନ, ୧୯୫୯ରେ ସଂରକ୍ଷଣ ପାଇଁ ଉଲ୍ଲେଖ ରହିଛି । ପ୍ରତ୍ୟେକ ଗ୍ରାମ ପଂଚାୟତ ଓ ପଂଚାୟତ ସମିତିରେ ଆଦିବାସୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସହିତ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଗ୍ରାମ ପଂଚାୟତ ଆଇନ, ୧୯୬୪ ଧାରା ୧୦ ଓ ପଂଚାୟତ ସମିତ ଆଇନ ଧାରା ୧୬ରେ ସ୍ପଷ୍ଟ ଉଲ୍ଲେଖ ସତ୍ୱେ ୨୩ଟି ଜିଲ୍ଲାରେ ଏହାକୁ ଅନୁସରଣ ନ କରିବା ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାର ପ୍ରତି କୁଠାରଘାତ ଏବଂ ଅସାମ୍ବିଧାନିକ । ଓଡିଶା ହାଇକୋର୍ଟଙ୍କ ଦ୍ୱାରା ଦର୍ଶାଇଯାଇଥିବା ତୃଟି ସଂଶୋଧନ କରିବାକୁ ଯାଇ ରାଜ୍ୟ ସରକାର ଆଉ ଏକ ଗୁରୁତର ତୃଟି କରିଛନ୍ତି ।
ରାଜ୍ୟ ସରକାରଙ୍କ ଏହିପରି ଇଛାକୃତ ତୃଟି କୁ ଘୋର ନିନ୍ଦା କରିବା ସଙ୍ଗେ ସଙ୍ଗେ ତୁରନ୍ତ ଆବଶ୍ୟକୀୟ ସଂଶୋଧନ କରି ଆଦିବାସୀମାନଙ୍କ ଅଧିକାରକୁ ସ୍ୱିକୃତି ଦେଇ ନିର୍ବାଚନ କରିବାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି ।