ଭୁବନେଶ୍ୱର – ଟେକ୍ ହୋମ୍ ରାସନ୍ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ଉଦେ୍ଧଶ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ନିଷ୍ପତି କ୍ରମେ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ଛତୁଆ ବଂଟନ ଦ୍ୱାରା ବ୍ୟବସ୍ଥାରେ ଯଥେଷ୍ଟ ଅଧିକ ସ୍ୱଚ୍ଛତା ଏବଂ ଉତରଦାୟିତ୍ୱ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ମାସର ୧ ତାରିଖରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଆଇସିଡ଼ିଏସ୍ ପ୍ରକଳ୍ପ ଗୁଡ଼ିକର ହିତାଧିକାରୀମାନଙ୍କୁ ଛତୁଆ ବଂଟନ କରାଯାଇଛି । ଠି.ଏସ.ଡବ୍ଲୁ ଓ ସିଡ଼ିପିଓ, ଆଇସିଡ଼ିଏସ୍ ସୁପର ଭାଇଜର, ମିଶନ ଶକ୍ତିର ଜିଲ୍ଲା ଏବଂ ବ୍ଲକ୍ ସଂଯୋଜକ ଏବଂ ମାତୃ କମିଟି ଓ ଯାଂଚ କମିଟି ମାନଙ୍କ ଉପସ୍ଥିତିରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଛତୁଆ ବଂଟନ କରାଯାଇଛି ।
ବିଭାଗ ପକ୍ଷରୁ ନିୟମିତ ଭାବେ ତଦାରଖ ଏବଂ ଯାଂଚ ହେଉଥିବାରୁ ଛତୁଆର ଗୁଣାତ୍ମକ ମାନ ଯଥେଷ୍ଟ ବୃଦ୍ଧି ପାଇଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଅତିରିକ୍ତ ପୁଷ୍ଟିସାଧନ ଲକ୍ଷ୍ୟରେ ୬ ମାସରୁ ୩ ବର୍ଷର ଶିଶୁମାନଙ୍କୁ ୨.୨ କେଜି ଛତୁଆ ଏବଂ ୧.୫ କେଜି ଶୁଖିଲା ଖାଦ୍ୟ, ୬ ମାସରୁ ୩ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ ପାଇଁ ୪.୪ କେଜି ଛତୁଆ, ୮୩ଟି ଚିକି/ଲଡ଼ୁ, ଅତିଶୟ କମ୍ ଓଜନର ୩ ବର୍ଷରୁ ୬ ବର୍ଷର ଶିଶୁଙ୍କ ୧.୬ କେଜି ଛତୁଆ, ୪୨ଟି ଚିକି/ଲଡ଼ୁ, କିଶୋରୀମାନଙ୍କ ନିମନ୍ତେ ୩.୬ କେଜି ଛତୁଆ ୨୫ଟି ଚିକି/ଲଡ଼ୁ ଏବଂ ଗର୍ଭବତୀ ତଥା ପ୍ରସୂତୀ ମହିଳାମାନଙ୍କ ନିମନ୍ତେ ୪.୪ କେଜି ଛତୁଆ ଏବଂ ୨୫ଟି ଚିକି/ଲଡ଼ୁ ଯୋଗାଇ ଦିଆଯାଉଛି । ଏହି ବିତରଣ ପ୍ରକ୍ରିୟାର ସୁପରିଚାଳନାକୁ ତଦାରଖ କରିବା ନିମନ୍ତେ ବିଭାଗର ଯୁଗ୍ମ ସଚିବ, ଉପସଚିବ, ଅନୁସଚିବ ତଥା ପରମର୍ଶଦାତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ରନ୍ଧା ଖାଦ୍ୟର ମଧ୍ୟ ଗୁଣାତ୍ମକ ମାନ ଯାଂଚ କରିଛନ୍ତି । ନିର୍ଦ୍ଧିଷ୍ଟ ଦିନରେ ଛତୁଆ ବଂଟନ ଦ୍ୱାରା ପୁଷ୍ଟି ସାଧନ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତନ ଆଣିବା ଲକ୍ଷ୍ୟ ସାଧନ ପାଇଁ ବିଭାଗ ପକ୍ଷରୁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।