-
ବହି ପଢିବାନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବପିଢିଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
ନୂଆଦିଲ୍ଲୀ/ଭୁବନେଶ୍ୱର,କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କୁ ‘ବହି ପଢ଼ିବା’କୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଂଚଳିକ ଭାଷାରେ ବହି
ପଢ଼ିବା ପାଇଁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାରା ଜୀବନ ଶିକ୍ଷା ଗ୍ରହଣକୁ ବିକଶିତ କରିବା ଦିଗରେ ପୁସ୍ତକ ପଢ଼ିବାର ବିଶେଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅଳ୍ପ ବୟସରୁ ପୁସ୍ତକ ପଢ଼ିବା ଅଭ୍ୟାସ କଲେ ଏହା ଶିଶୁଙ୍କ ମାନସିକ ବିକାଶ କରିବ । ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ସୁସ୍ଥ ବାତାବରଣ ତିଆରି କରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବହି ପଢ଼ିବା ଏକ ଭଲ ଅଭ୍ୟାସ ଏବଂ ଜ୍ଞାନ, ଭାଷା ଏବଂ ସାମାଜିକ ଦକ୍ଷତାର ବିକାଶ କରିବାରେ ଏକ ଭଲ ଉପାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ନିୟମିତ ପୁସ୍ତକ ପଢ଼ିବା ପାଇଁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାରେ ପୁସ୍ତକ ପଢ଼ିବାକୁ ସାରା ଜୀବନ ଅଭ୍ୟାସରେ ପରିଣତ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ‘ପଢ଼େ ଭାରତ’ ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୫ଟି ପୁସ୍ତକ ପଢ଼ିବା ଆରମ୍ଭ କରିଛନ୍ତି । ଏଥିରେ ୨ଟି ଓଡ଼ିଆ ପୁସ୍ତକ କବିବର ରାଧାନାଥ ରାୟଙ୍କ ‘ଚିଲିକା’, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପ୍ରାୟଶ୍ଚିତ’ ରହିଛି । ସେହିପରି ଅନ୍ୟ ତିନୋଟି ପୁସ୍ତକ ଜେମ୍ସ କ୍ଲିୟରଙ୍କ ‘ଆଟୋମିକ୍ ହାବିଟ’୍ସ, ରସକିନ୍ ବଣ୍ଡଙ୍କ ‘ଏ ଲିଟିଲ୍ ବୁକ୍ ଅଫ୍ ହାପିନେସ୍’, ସ୍ୱାମୀ ବିବେକାନନ୍ଦଙ୍କ ‘ରିଫ୍ଲେକ୍ସନ୍ସ’ ମଧ୍ୟ ରହିଛି । ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠକାମାନେ ନିଜେ ପଢ଼ୁଥିବା ପୁସ୍ତକ ସହ ଆଗକୁ କେଉଁ ପୁସ୍ତକ ପଢିବା ଉଚିତ୍, ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ପଢ଼େ ଭାରତ’ ଅଭିଯାନରେ ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ସମାଜ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମାଜର ଅଂଶୀଦାରଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବାବ ଏହାର ଉଦ୍ଦେଶ୍ୟ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାର ଉନ୍ନତି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ବାଲ୍ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ଅଭିଯାନର ଭାଗୀଦାରୀ ହେବେ । ପଠନ ଅଭିଯାନ ୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ ୧୦ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ୧୦୦ ଦିନ ବା ୧୪ ସପ୍ତାହ ଧରି ଆୟୋଜନ କରାଯିବ । ଛାତ୍ରଛାତ୍ରୀ ତଥା ଲୋକଙ୍କ ମଧ୍ୟରେ ପୁସ୍ତକ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବା ଏବଂ ଏହାକୁ ଉପଭୋଗ କରିବା ପାଇଁ ଏହି ଚଉଦ ସପ୍ତାହ ମଧ୍ୟରେ ଗଠନ ହୋଇଥିବା ପ୍ରତିଟି ଗ୍ରୁପ କାର୍ଯ୍ୟକ୍ରମ କରିବେ ।