
ଭୁବନେଶ୍ୱର, ରାଜ୍ୟରେ ଆଜି (ଶନିବାର)ଠାରୁ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଯାବତ୍ ୪୫ ହଜାର ପିଲା ଟିକାକରଣ ଲାଗି ନାମ ପଞ୍ଜୀକରଣ କରିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ୧୫ରୁ ୧୮ ବର୍ଷ ବୟସ୍କ କିଶୋରମାନେ କୋୱିନ୍ ପୋର୍ଟାଲରେ ଲଗ ଇନ କରି ମୋବାଇଲ ନମ୍ବର ଦେଇ ଓଟିପି ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରିପାରିବେ । ଏହାପରେ ଉକ୍ତ୍ ପୋର୍ଟାଲରେ ଆପଏଂଟମେଂଟ ବୁକ୍ କରି ୩ ତାରିଖ ପରଠାରୁ ଟିକା ନେଇପାରିବେ । ଏବେ ରାଜ୍ୟରେ ୨୬୦୦ ଟିକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଛି ସମର୍ପିତ କିଶୋର ଟିକାକରଣ କେନ୍ଦ୍ର ରହିବ । କିନ୍ତୁ ଅନ୍ୟ ସମସ୍ତ ଟିକାକରଣ କେନ୍ଦ୍ରରେ ବି ନିର୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟିକା ନେଇପାରିବେ । ଏପରିକି ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ୧୫ରୁ ୧୮ ବର୍ଷ ପିଲା ।
ସେ ଆହୁରି କହିଛନ୍ତି ଯେ ୨୦୦୫ ରୁ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟିକାକରଣ ପାଇଁ ପଞ୍ଜୀକରଣ କରାନ୍ତୁ ଅଭିଭାବକ । ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତମାନ ସୁଦ୍ଧା କୋୱିନ୍ ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟୀକାକରଣ ପାଇଁ ବୁକ କରିସାରିଛନ୍ତି ।