କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ପୁରୀ ବିକାଶ ପରିଷଦ। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ସଚିବଙ୍କୁ ସାକ୍ଷାତ କରି ଏଥିପାଇଁ ଦାବୀପତ୍ର ପ୍ରଦାନ ସମେତ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଥିବା ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ଏସ୍ ସି ଏସ କଲେଜ ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ ସମୟରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଅନ୍ୟ କଲେଜ ଗୁଡ଼ିକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳି ସାରିଥିବା ବେଳେ ପୂରୀ ଏସ ସି ଏସ କଲେଜ ପ୍ରତି ଅବହେଳା ଏବଂ ଅନ୍ୟାୟ କରାଯାଇଥିବା ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଅଭିଯୋଗ କରିଛନ୍ତି।
ପରିଷଦର ବାର୍ଷିକ ସାଧାରଣ ଅଧିବେଶନ ୟୁଥ୍ ହଷ୍ଟେଲରେ ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀ ଜଗନ୍ନାଥ ବସ୍ତିଆ ସେଥିରେ ଅଧ୍ୟକ୍ଷତା କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନ ଶତବାର୍ଷିକୀ ଉଦଯାପନ ଉତ୍ସବ ମାର୍ଚ୍ଚ ୨୬ ରେ ପାଳନ ପାଇଁ ସେଥିରେ ସ୍ଥିର କରାଯାଇଛି। ଏହି ଅବସରରେ ପୁରୀ ରେଳ ଷ୍ଟେସନରୁ ବଡ଼ଦାଣ୍ଡ ଏବଂ ସିଂହଦ୍ଵାର ଦେଇ ଗନ୍ଧୀଘାଟ ପର୍ଯ୍ୟନ୍ତ ସଦଭାବନା ଶୋଭାଯାତ୍ରା ଅନୁଷ୍ଠିତ ହେବ। ଗାନ୍ଧିଜୀ ସ୍ମାରକୀ ଆଲୋଚନାଚକ୍ର ଆୟୋଜନ କରାଯିବ। ପୁରୀ ରେଳ ଷ୍ଟେସନ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପୂର୍ବତଟ ରେଳପଥକୁ ପ୍ରସ୍ତାବ ଦିଆଯିବ।
ଏହାଛଡା ପୁରୀରେ ଆଉ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଗୋଟିଏ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯିବ।
ପୁରୀ କୋଣାର୍କ ରେଳପଥ ନିର୍ମାଣ ପାଇଁ ଯଥାଶୀଘ୍ର ଅର୍ଥ ମଞ୍ଜୁର ନିମନ୍ତେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ଏହାଛଡା ପୁରୀରୁ ସାତପଡ଼ା ମଧ୍ୟରେ ରେଳପଥ ସଂଯୋଗ ପାଇଁ ଦାବି କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହୋଇଥିବା ନୀଳାଚଳ ଅର୍ବାନ ହାଟର ଦୟନୀୟ ଅବସ୍ଥା ଯୋଗୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହାର ତୁରନ୍ତ ପୁନରୁଦ୍ଧାର ପାଇଁ ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗ ସଚିବଙ୍କୁ ସାକ୍ଷାତ କରି ଆଲୋଚନା ନିମନ୍ତେ ସ୍ଥିର କରାଯାଇଛି।
ପରିଷଦ ଉପସଭାପତି ସୁକାନ୍ତ ପଣ୍ଡା ଓ ରାଧାଶ୍ୟାମ ରଥ, ଉପଦେଷ୍ଟା ଚକ୍ରଧର ମହାପାତ୍ର, ସମ୍ପାଦକ ଦିଲ୍ଲୀପ କୁମାର ଓଝା, ସଂଗଠନ ସମ୍ପାଦକ ସ୍ବାଧିନ କୁମାର ପଣ୍ଡା, ନାରାୟଣ ନନ୍ଦ, ପ୍ରାନ୍ତସିନି ଜେନା, ଗୋବିନ୍ଦ ଚନ୍ଦ୍ର ଘୋଷ, ସତ୍ୟକାମ ସାହୁ, ସୁଜିତ୍ ମହାପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Related Stories
November 22, 2024