ଭୁବନେଶ୍ୱର, ରାଜ୍ୟର ସ୍କୁଲ ଓ କଲେଜ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ନୂତନ ବର୍ଦ୍ଧିତ ବେତନ ୧.୧.୨୦୨୨ରୁ ଲାଗୁ ହେବ । ଏହାଦ୍ୱାରା ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ୟୁପି (ମ.ଇ) ସ୍କୁଲ ଓ ମଦ୍ରାସାର ପ୍ରାୟ ୨୬,୧୬୪ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଯେଉଁମାନେ ୧୦୦% ଅନୁଦାନ ପ୍ରାପ୍ତ କରୁଛନ୍ତି ସେମାନେ ଏହି ବର୍ଦ୍ଧିତ ଅନୁଦାନ ଦ୍ୱାରା ଉପକୃତ ହେବେ ବୋଲି ବୈଠକରୁ ଜଣାପଡିଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କୁ ୧୨୬ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।
ସେହିପରି ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରାଯିବ । ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ । ଏହାଦ୍ୱାରା ୧୫, ୬୬୪ କଲେଜ ଶିକ୍ଷକ ଓ ଅଣ-ଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୬୬ କୋଟି ଅତିରିକ୍ତ ବ୍ୟୟ ପଡ଼ିବ ।