ନୂଆପଡ଼ା, ନୂଆପଡା ଜିଲ୍ଲା କୋମନା ବ୍ଳକ ଉଦ୍ୟାନବନ୍ଦ ଠାରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଅଧିନରେ ପରିଚାଳିତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ରୋଷେୟ ତଥା ସେବାୟତ ( ସିସିଏ) ମାନଙ୍କ ଶାସନ ଓ ପ୍ରଶାସନକୁ ତାଙ୍କର ଦୁଃଖ ଗୁହାରି ପୂର୍ବକ ନ୍ୟାୟୋଚିତ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ଭୈରବ କୁମାର ସାହୁଙ୍କ ଆହ୍ବାନ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରୋଷେୟା ତଥା ସେବାୟତ ସଂଘ ନୂଆପଡାର ଜିଲ୍ଲା ସଭାପତି ଭୈରବ କୁମାର ସାହୁ ମଂଚ ପରିଚାଳନା କରିଥିଲେ ।
ଏହି ସଭାରେ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଶବର, କୋମନା ବ୍ଲକ ସଭାପତି ଜଗତରାମ ଖର୍ସେଲ, ଖଡିଆଳ ବ୍ଲକ ସଭାପତି ଥଣ୍ଡିରାମ ଭୋଇ, ବୋଡେନ ବ୍ଲକ ସଭାପତି ସତ୍ୟାନନ୍ଦ ବେହେରା, ଜିଲ୍ଲା ଉପ ସମ୍ପାଦିକା ଅନୁସୟା ତାଣ୍ଡି, ସୋରଜ ବାଗ, ବୈଷ୍ଣବ ମାଝୀ, ଅଫିସର ଧରୁଆ, ଫୁଲ ମାଝୀ, ବୈଷ୍ଣବ ମାଝୀ, ବି. ଗୀତାଲକ୍ଷ୍ମୀ ପ୍ରିୟା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ସଭାରେ ରୋଷେୟା ମାନଙ୍କ ବିଭିନ୍ନ ସମସ୍ୟା ଓ ବ୍ୟକ୍ତିଗତ ସ୍ଵାଧୀନତା ଉପରେ ଆଲୋଚନା ହୋଇଥିଲା ।
ପ୍ରକାଶ ଥାଉକି, ବିଗତ ୧୨.୦୪.୧୯୯୩ ପର ଠାରୁ ଅଦ୍ୟାବଧି ସରକାରି କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ସେମାନଙ୍କୁ କର୍ମଚାରୀର ମାନ୍ୟତା ଦିଆଯାଇ ନାହିଁ । ଶ୍ରମ ବିଭାଗ ଯାହା ଦିନମଜୁରିଆ ଶ୍ରମିକ ମାନଙ୍କୁ ଦୈନିକ ମଜୁରି ଧାର୍ଯ୍ୟ କରିଥାନ୍ତି ତାକୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସିସିଏ ମାନଙ୍କୁ ମାସିକ ଆକାରରେ ପ୍ରଦାନ କରିଛି । ଯେହେତୁ ରୋଷେୟା ସେବାୟତ ମାନଙ୍କର କୈଣସି ଛୁଟି ନାହିଁ ଏଣୁ ରବିବାର ଛୁଟିଦିନ ଦୁଇଗୁଣ ମଜୁରି ମିଳିଥାଏ ରୋଷେୟା ତଥା ସେବାୟତ ମାନଙ୍କ ପାଇଁ କୌଣସି ସରକାରୀ ନିତିନିୟମ ନାହିଁ । ଅଛି କେବଳ ବଦଳି, ବହିଷ୍କାର ଓ ଦରମା ବନ୍ଦ ନୀତି । ରୋଷେୟା ତଥା ସେବାୟତ ମାନେ ସରକାରି କର୍ମଚାରୀ ହୋଇନଥିଲେ ସୁଦ୍ଧା ରନ୍ଧନ ଓ ପରିବେଷଣ ସେମାନଙ୍କ ମୁଖ୍ୟ କାର୍ଯ୍ୟ ବ୍ୟତିରେକ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ନିମନ୍ତେ ଦିନରାତି ବିଦ୍ୟାଳୟରେ ରହି ବିଭିନ୍ନ ଗରୁତ୍ବପୂର୍ଣ୍ଣ ଦାୟିତ୍ବ ପାଳନ କରି ଆସୁଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ରୋଷେୟା ତଥା ସେବାୟତ ମାନେ ସରକାରଙ୍କୁ ଏକ ଦାବିପତ୍ର ନୂଆପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ ପାଇଁ ନିଷ୍ପତି ହୋଇଛି ।