ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ବର୍ତମାନ ସୁଦ୍ଧା ମୋଟ୍ ୩୨୯ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ବ୍ରହ୍ମପୁର ସହରରୁ ବର୍ତମାନ ସର୍ବାଧିକ ୧୪୬ ଜଣ ରହିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଜିଲ୍ଲାରେ ଡ଼େଙ୍ଗୁ ବ୍ୟାପୁଥିବା କୁହାଯାଉଛି । ସେହିପରି ବିଗତ ଦିନରେ ହୋଇଥିବା ଲଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା । ଦୀର୍ଘ ଦିନ ଧରି ପାଣି ଜମି ରହିବା ଫଳରେ ସେଠାରେ ଡ଼େଙ୍ଗୁର ବାହାକ ଏଡ଼ିସ୍ ମଶା ସୃଷ୍ଟି ହୋଇ ତାହା ରୋଗର କାରଣ ସାଜିଛି ।
ଚଳିତ ବର୍ଷ ବିଭିନ୍ନ ବର୍ଗର ଲୋକ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ଶିଶୁ ମାନେ ମଧ୍ୟ ବାଦ୍ ପଡି ନାହାଁନ୍ତି । ଏ ବର୍ଷ ଜିଲ୍ଲାରେ ବହୁ ସଂଖ୍ୟାରେ ଶିଶୁ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଡ଼େଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଂଚଳକୁ ସ୍ୱାସ୍ଥ୍ୟ ବିଭାର ଟିମ୍ ଯାଇ ଲୋକଙ୍କୁ ସଚେତନ କରାଉଛି । ମଶା ସୃଷ୍ଟି ହେଉଥିବା ସ୍ଥାନକୁ ଚିହ୍ନଟ କରି ତାହାକୁ ସଫା କରାଯାଉଛି । ବ୍ରହ୍ମପୁର ସହରରେ ବିଏମସି ପକ୍ଷରୁ ମଶାମରା ଧୂଆଁ ମଧ୍ୟ ସ୍ପ୍ରେ କରାଯାଉଛି ।ଗତବର୍ଷ ଜିଲ୍ଲାରେ ମାତ୍ର ୯ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩ ୨୯ ରେ ପହଂଚିଲାଣି । ସେହିପରି ୨୦୧୯ ରେ ୩୦୭ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବ ବେଳେ ୨୦୧୮ ରେ ୧୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ୨୦୧୮ ଓ ୨୦୧୯ ର ରେକର୍ଡ଼ ଭାଙ୍ଗିଛି । ସେହିପରି ୨୦୧୬ ରେ ମଧ୍ୟ ୩୨୯ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧିô ୩୨୯ ଜଣ ଚିହ୍ନଟ ହୋଇସାରିଲେଣି ।