
ବଲାଙ୍ଗୀର, ସମଗ୍ର ଦେଶରେ ଶିଶୁଙ୍କୁ ଟୀକା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ବିଳମ୍ବ କରିଛନ୍ତି ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ବୟସ୍କ, କିଶୋର ଓ ଶିଶୁମାନଙ୍କୁ ବୁଷ୍ଟର ଡୋଜ ପ୍ରୟୋଗ କରିବା ପାଇଁ କ୍ଲିନିକାଲ ଟ୍ରାଏଲ ଜାରୀ ରହିଛି । ମେସର୍ସ ଭାରତ ବାୟୋଟେକ ଓ ମେସର୍ସ ଖ୍ରିଷ୍ଟିଆନ ମେଡିକାଲ କଲେଜ, ଭେଲୋର ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜର କ୍ଲିନିକାଲ କରୁଥିବା ବେଳେ ଶିଶୁ ଓ କିଶୋରଙ୍କ ପାଇଁ ବୁଷ୍ଟର ଡୋଜର କ୍ଲିନିକାଲ ଟ୍ରାଏଲ ମେସର୍ସ ବାୟୋଲଜିକାଲ ଇ କରୁଛନ୍ତି ବୋଲି ତଥ୍ୟ ପ୍ରଦାନ କରାଯାଇଛି । ସବୁ ବୟସର ଲୋକଙ୍କ ପାଇଁ ବୁଷ୍ଟର ଡୋଜର କ୍ଲିନିକାଲ ପରୀକ୍ଷା ଚାଲିଥିବା ତଥ୍ୟରେ କୁହାଯାଇଛି । ଦେଶରେ ବୁଷ୍ଟର ଡୋଜର କ୍ଲିନିକାଲ ପରୀକ୍ଷା ଚାଲିଥିବା ବେଳେ ଶିଶୁଙ୍କ ପାଇଁ ଟୀକାଦାନର ପ୍ରଥମ ଡୋଜ ମଧ୍ୟ ଆରମ୍ଭ କରାଯାଇ ନଥିବା ବିଷୟରୁ ଶିଶୁଙ୍କୁ ଟୀକାଦାନରେ ବିଳମ୍ବ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ପଣ୍ଡା କହିଛନ୍ତି । ବୟସ୍କମାନଙ୍କ ପାଇଁ ଦୃଷ୍ଟର ଡୋଜ ଓ କିଶୋରମାନଙ୍କ ପାଇଁ ପ୍ରଥମ ଡୋଜ ଟୀକାଦାନ ଆରମ୍ଭ କରିବା ପାଇଁ ସରକାର ଇତି ମଧ୍ୟରେ ଘୋଷଣା କରିଛନ୍ତି । ଏହି ତଥ୍ୟରୁ ଜଣା ପଡୁଛି ଯେ, ସମଗ୍ର ଦେଶରେ ଶିଶୁଙ୍କ ପାଇଁ ଟୀକାଦାନରେ ପଥେଷ୍ଟ ବିଳମ୍ବ ହୋଇ ସାରିଛି । ଯୁଦ୍ଧକାଳୀନ ଭିତ୍ତିରେ ଶିଶୁଙ୍କୁ ଟୀକାଦାନ ପାଇଁ ପଦକ୍ଷେପ ନେବାକୁ ପଣ୍ଡା ଦାବୀ କରିଛନ୍ତି । ଟୀକାଦାନକୁ ନେଇ କେନ୍ଦ୍ର ସରକାର କେବଳ ପ୍ରଚାରଧର୍ମି ନ ହୋଇ ବାସ୍ତବତାର ସହ କାର୍ଯ୍ୟ କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । କୋଭିଡ ଟୀକାକୁ ନେଇ ସୂଚନା କର୍ମି ଶ୍ରୀ ପଣ୍ଡା ଆଇ.ସି.ଏମ୍. ଆର୍ ର ଡିଜିଙ୍କ କାର୍ଯ୍ୟାଳୟରୁ କେତେକ ତଥ୍ୟ ମାଗିଥିଲେ । ଆଇ.ସି.ଏମ୍.ଆର୍ ପକ୍ଷରୁ ପଣ୍ଡାଙ୍କ ଆବେଦନକୁ ସୂଚନା ଆଇନ ଅନୁଯାୟୀ ବିଭିନ୍ନ ବିଭାଗକୁ ସ୍ଥାନାନ୍ତରଣ କରାଯାଇ ତଥ୍ୟ ପ୍ରଦାନ କରାଯାଇଛି।