ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସ୍ଥିତ ଏକ ଗୁହାଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି । ନିକଟସ୍ଥ ସୁକୁଣ୍ଡା ଜଙ୍ଗଲରୁ ଏହି ବଜ୍ରକାପ୍ତା ଚାଲି ଆସିଥିବା ଅନୁମାନ କରାଯାଉଛି । ଗତକାଲି ରାତିରେ ଲକ୍ଷ୍ମୀନୃସିଂହ ସାହିର ଜଣେ ବ୍ୟକ୍ତିଙ୍କ ଗାଈଗୁହାଳରେ ଏହି ବଜ୍ରକାପ୍ତା ଥିବା ଦେଖିବାକୁ ମିଳିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକେ ଭିଡ଼ ଜମାଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତାଟି ବର୍ତମାନ ସୁସ୍ଥ ଅଛି । ତାର ଓଜନ ପ୍ରାୟ ୫ କେଜି ରହିଥିବା ବେଳେ ଲମ୍ବ ପ୍ରାୟ ୩୦ ସେ.ମି., ଗୋଲେଇ ୧୫ ସେ.ମି. ହୋଇଥିବା ନେଇ ଡିଏଫଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।