ମାଲକାନଗିରି,କାଲିମେଳା ଥାନା ଅନ୍ତର୍ଗତ କୋ ଇମେଟଲା ପଞ୍ଚାୟତର ନାମକୋଣ୍ଡା ଗ୍ରାମରେ ଜଣେ ବୃଦ୍ଧା ବିଷପାନ କରି ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଯୋଗୀ ପଡିଆମୀ । ତାଙ୍କ ବୟସ ୬୫ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଯୋଗୀଙ୍କ ସ୍ଵାମୀ ଭୀମା ପଡ଼ିଆମୀ ରୋଗାଗ୍ରସ୍ତ ହୋଇ ଗତବର୍ଷ ପ୍ରାଣ ହରାଇଥିବାବେଳେ ସେମାନଙ୍କ କୌଣସି ସନ୍ତାନ ସନ୍ତତି ନାହାନ୍ତି । ଯୋଗୀ ନାମକୋଣ୍ଡା ଗ୍ରାମରେ ନିଜ ଘରେ ଏକାକୀ ରହିଆସୁଥିଲେ । କୌଣସି କାରଣକୁ ନେଇ ଯୋଗୀ ବିଷ ଖାଇ ଦେଇଥିଲେ । ଯୋଗୀଙ୍କ ଘର ପାଖରେ ଥିବା ତାଙ୍କର ଭଉଣୀ ବୁଦ୍ରି ମାଡ଼କାମୀ ପ୍ରଥମେ ଜାଣିପାରି ସାହି ପଡ଼ିଶା ଲୋକଙ୍କୁ ଜଣାଇଥିଲେ । ସମ୍ପର୍କୀୟ ଓ ସାହି ପଡ଼ିଶା ଲୋକଙ୍କ ସହାୟତାରେ ଯୋଗୀକୁ କାଲିମେଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଡାକ୍ତରଖାନା ସୂତ୍ରରୁ ଖବର ପାଇ କାଲିମେଳା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି । କାଲିମେଳା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ତଦନ୍ତ ଚଳାଇଛି ।