ଗଞ୍ଜାମ,ଗଞ୍ଜାମ ଜିଲ୍ଲାରେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାଳୟରୁ ଗତକାଲି ସୂଚନା ଆସିଛି । ଜିଲ୍ଲାର କେଉଁ ଅଂଚଳରୁ ଏହି ପଜିଟିଭ୍ ଚିହ୍ନଟ ହୋଇଛି ତାର ବିସ୍ତୃତ ବିବରଣୀ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଉମାଶଙ୍କର ମିଶ୍ର କହିଛନ୍ତି ।
ଗତ କିଛି ଦିନ ତଳେ କୁକୁଡ଼ାଖଣ୍ଡି ବ୍ଲକ ଅଂଚଳର ଏକ ପରିବାର ନାଇଜେରିଆରୁ ଆସିଥିଲେ । ସେମାନଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିଲା । ୩ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ଜଣେ (୯ ବର୍ଷିୟ ପିଲା)ର କୋଭିଡ଼୍ ପଜିଟିଭ୍ ରହିଥିଲା । ତାକୁ ଏମକେସିଜି ମେଡ଼ିକାଲ ଡି.ସି.ଏଚ.ରେ ଭର୍ତି କରାଯାଇଥିଲା । ଏହି ଛୋଟ ପିଲାର ନମୂନା ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସକୁ ସିକ୍ରେନସିଂ ପାଇଁ ଗତ ୫ ଦିନ ତଳେ ପଠାଯାଇଥିଲା । ଏହି ପିଲାର କୋଭିଡ଼୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ମେଡିକାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଥିଲେ । ତେବେ ଏହାର ସିକ୍ରେନସିଂ ରିପୋର୍ଟ ବର୍ତମାନ ସୁଦ୍ଧା ଆସିନଥିବା ସେ କହିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର କେଉଁ ଅଂଚଳରେ ଓମିକ୍ରନ ପଜିଟିଭ୍ ରହିଛନ୍ତି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ସାଧାରଣରେ ଓମିକ୍ରନକୁ ନେଇ ଭୟ ସୃଷ୍ଟି ହୋଇଛି ।