
-
ଧଉଳି ଶାନ୍ତିସ୍ତୂପର ହେବ ପୁନରୁଦ୍ଧାର
-
ପୁରୁଣା ଭୁବନେଶ୍ୱରରେ ୨୪ ଘଂଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ୧୩ଟି ପ୍ରକଳ୍ପର ଶୁଭାରମ୍ଭ
-
ଏକାମ୍ର ଅଂଚଳର ବିକାଶ ଭୁବନେଶ୍ୱରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱରର ଏକାମ୍ର ଅଂଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଂଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଂଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଂଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ୱରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଂଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତମାନ ପୁରୁଣା ଭୁବନେଶ୍ୱରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ ।
ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି – ଏକାମ୍ର ଅଂଚଳରେ ୨୪ ଘଂଟିଆ ବିଶୁଦ୍ଧ ଜଳଯୋଗାଣ , ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଂଚଳରେ ୨୪ ଘଂଟିଆ ପାନୀୟ ଜଳଯୋଗାଣ, କପିଳେଶ୍ୱରରେ ଗଙ୍ଗୁଆ ବାମପାର୍ଶ୍ୱ କେନାଲ ବନ୍ଧରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ୱର-ପୁରୀ ରୋଡ୍ ରେ ବକ୍ସ କଲ୍ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଂଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍ ହସ୍ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ ।
ବିକାଶ ଓ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ୱୀକୃତି ମିଳିଛି ବୋଲି ସେମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।