ବାରିପଦା – ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମହୁଲପୁଣ୍ଠା ମୌଜା ଛାଂଚୁଣିଆ ଗ୍ରାମ । ଗତ ଅକ୍ଟୋବର ୨୦ ରବିବାର ବିଳମ୍ବିତ ରାତିରେ ମକରା ଚାତରାଙ୍କ ବିଧବା ସ୍ତ୍ରୀ ଶୁବାନୀ ଘରେ ଶୋଇଥିବା ସମୟରେ କୌଣସି ବ୍ୟକ୍ତି ତାଙ୍କୁ ଜୀବନରୁ ମାରି ଦେବା ନିମନ୍ତେ ପ୍ରଥମେ ଚେଷ୍ଟା କରିଥିଲା , କିନ୍ତୁ ଶୁବାନୀର ନିଦ ଭାଙ୍ଗି ଯିବାରୁ ତାର ପାଟି ଶୁଣି ପୁଅ ଓ ଅନ୍ୟମାନେ ନିଦରୁ ଉଠିପଡ଼ିବାରୁ ଆକ୍ରମଣକାରୀମାନେ ବିଫଳ ହୋଇ ଫେରିଯାଇ ନିକଟରେ ଛପି ରହିଥିଲେ । ପୁଣି ସମସ୍ତେ ଶୋଇ ପଡ଼ିବା ପରେ ଦ୍ୱିତୀୟ ଥର ଏକ ଧାରୁଆ ଅସ୍ତ୍ରରେ ଶୁବାନୀର ମୁଣ୍ଡକୁ ହାଣି ଦେଇ ପଳାଇ ଯାଇଥିଲେ । ଭାଣିଜୀର ପାଟି ଶୁଣି ମାମୁଁ ତଥା ଶୁବାନୀର ପୁଅ ବୁଧୁରାମ ଚାତାର ନିଦରୁ ଉଠି ମାଆକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସାହିପଡ଼ିଶା ଓ ଗାଁ ଲୋକଙ୍କ ସହାୟତା ନିମନ୍ତେ ଚିକ୍ରାର କରିଥିଲେ ମଧ୍ୟ କେହି ସେଠାରେ ପହଁଚିନଥିଲେ । ପୁଅ ବୁଧୁରାମ ଭୟଭିତ ଅବସ୍ଥାରେ ମାଆକୁ ରାତିରେ ଡ଼ାକ୍ତରଖାନାକୁ ଆଣିବାକୁ ସାହାସ ଜୁଟାଇ ପାରିନଥିଲେ । ସୋମବାର ସକାଳ ସମୟରେ ମା ଶୁବାନୀକୁ ପ୍ରଥମେ ଉଦଳା ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା ଓ ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ ହୋଇ ଆସିଥିଲା ଏବଂ ଅକ୍ଟୋବର ୩୧ ଗୁରୁବାର ରାତିରେ ଶୁବାନୀର ମୃତ୍ୟୁ ହୋଇଥିଲା । ତେବେ ଶୁବାନୀର ପରିବାରର ସଦସ୍ୟମାନଙ୍କ ପକ୍ଷରୁ ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି ।
ଶୁବାନୀର ଜମିକୁ ହଡ଼ପ କରିନେବା ପାଇଁ ଦାଦା ବାରମ୍ବାର ଉଦ୍ୟମ କରିଆସିଥିଲେ ଏବଂ ସୁନୀଲ ତାର ସହଯୋଗିମାନଙ୍କ ସହାୟତାରେ ଏହା ଭିଆଇଥିବାର ସନ୍ଦେହ କରାଯାଇଛି । ବୁଧୁରାମର ଅଭିଯୋଗକୁ ଭିତିକରି କପ୍ତିପଦା ଥାନା ପୁଲିସ ସୁନୀଲକୁ ଧରିବାରେ ସଫଳ ହୋଇଥିବା ସମୟରେ ଶୁବାନୀର ଶବକୁ ଜବତ କରି ବ୍ୟବଚ୍ଛେଦ ବ୍ୟବସ୍ଥା କରାଇବା ସହ ପରିବାରକୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି ।