ମାଲକାନଗିରି, ତେଲେଙ୍ଗାନା – ଛତିଶଗଡ଼ ସୀମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିହତ । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି ।
ତେଲେଙ୍ଗାନା ଓ ଛତିଶଗଡ଼ ସୀମା କିସ୍ତରାମ ଥାନା ଅଞ୍ଚଳରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାବାହିନୀ । କମ୍ବିଂ ଅପରେସନ୍ ବେଳେ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ଟଳିଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ମହିଳା ମାଓବାଦୀ । କିସ୍ତରାମ ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ କୋତ୍ତାଗୁଡମ୍ ଏସପି ସୁନୀଲ ଦତ୍ତଙ୍କ ନେତ୍ୱତ୍ୱରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ ଆରମ୍ଭ କରିଥିଲେ ଅପରେସନ୍ । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବରେ ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଏଥିରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ସମ୍ପୃକ୍ତ ଅଞ୍ଚଳରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣକ ପରିଚୟ ମିଳିଛି, ସେ ହେଲେ ଚେରଲା ମଣ୍ଡଳ କମିଟିର ମିଲିସିୟା ସଦସ୍ୟ ମଧୁ ।