ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା କେଗାଁ ସ୍ଥିତ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୃତ ମମିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ରାଜ୍ୟରେ ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୨୦୧୮ ରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କରେ ମହିଳା ଓ ଶିଶୁ ଅପରାଧ ଅନୁସନ୍ଧାନ ପାଇଁ ଏକ ପ୍ରକୋଷ୍ଠ କରିବାକୁ ପରାମର୍ଶ ଦେଇଥିଲେ । ସେହି କ୍ରମରେ ୨୦୧୯ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ୨୦୨୦ ରେ ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରକୋଷ୍ଠର ଅତିରିକ୍ତ ଦାୟୀତ୍ୱ ଦିଆଯାଇଥିବା ଘୋଷଣା କରିଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଘୋଷଣାରେ ରହିଯାଇଥିବା ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ଗତ ୮ ତାରିଖରେ ମମିତା ମେହେର ହତ୍ୟା ମାମଲାର ତଦନ୍ତ ପାଇଁ ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ ଅପରାଧ ନିୟନ୍ତ୍ରଣ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ଭେଟି ଥିଲେ । ତେବେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଏନେଇ କୌଣସି ସନ୍ତୋଷଜନକ ଉତର ପାଇପାରିନଥିବା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି ।