ବଲାଙ୍ଗିର, ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାର ଶବ ସହ ତିନି ଦିନ ଧରି ଘରେ ବନ୍ଦ ଥିଲା ଶିଶୁକନ୍ୟା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ସହର ସାଗର ପଡ଼ାରେ । କୁନି ନାୟକ ନାମ୍ନୀ ଜଣେ ଗରିବ ମହିଳା ତାଙ୍କ ଚାରି ବର୍ଷର ଶିଶୁକନ୍ୟା ସହ ଏକ ଭଡ଼ା ଘରେ ଦୁଇ ବର୍ଷ ହେଲା ରହି ଆସୁଥିଲେ । ତେବେ ଗତ ତିନି ଦିନରୁ ତାଙ୍କର ଘରେ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ସେପଟେ ଛୋଟ ଶିଶୁଟି ମା ଶୋଇଥିବାର ଭାବି ତା ଶବ ପାଖରେ ବସି ରହିଥିଲା । ଭୋକ ଉପାସରେ ସେ ମା ପାଖରେ ଥିବା ବେଳେ ଆଜି ଘରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀ ଶିଶୁକୁ ଉଦ୍ଧାର କରି ସବୁ କଥା ପଚାରି ଥିଲେ । ତା ମା ର ମୁହଁରୁ ପୋକ ବୁଲୁଥିବା କଥା ସେ କହିଥିଲା । ଏହା ଦେଖିବା ପରେ ତା ମା ର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଥିଲା । ଏ ସମ୍ପର୍କରେ ପଡୋଶୀ ମାନେ ପୋଲିସକୁ ଖବର ଦେବା ପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବଟି ପଚିଯାଇଥିବାରୁ ୩ ଦିନ ହେଲା ମହିଳାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ଠାରୁ ଖବର ପାଇଲା ପରେ ବଲାଙ୍ଗୀର ଚାଇଲ୍ଡ ଲାଇନ୍ ସଦସ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । ତେବେ ଏହି ଶିଶୁ ଏବେ ବି ଘୋର ମାନସିକ ଆଘାତରେ ଥିବା ଜଣାପଡିଛି । ସେହିପରି ଶିଶୁର ପରିଚିତ ଏଯାଏଁ ମିଳି ନ ଥିବା ବେଳେ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରି ତାର ଥଇଥାନ କରିବ ବୋଲି କହିଛି । ସେହିପରି ପୋଲିସ୍ ସମ୍ପୃକ୍ତ ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ସହର ମଧ୍ୟରେ ଏଭଳି ଅଭାବନୀୟ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି ।