
ଭୁବନେଶ୍ୱର, ଗତକାଲି ୨୫ ତମ ପ୍ରତିଷ୍ଠା ଦିବସ ପାଳିଥିବା ବିଜେଡି ଆତ୍ମସମୀକ୍ଷା କରିବା ପରିବର୍ତେ ନିଜ ପିଠି ନିଜେ ଥାପୁଡେଇ ସାବାସୀ ନେବାର ଯେଉଁ କସରତ୍ କରିଛି । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦାୟୀତ୍ୱହୀନତାର ପରିଚୟ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ୧୯୯୯ ମସିହାରେ ଓଡିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସଂଖ୍ୟା ଥିଲା ୪୭.୦୨ ପ୍ରତିଶତ । ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନିଜ ବାର୍ତାରେ କହିଲେ ଓଡିଶା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସଂଖ୍ୟା ୬୩ ପ୍ରତିଶତ ଥିଲା ଏବଂ ଏହା ବର୍ତମାନ ୨୯ ପ୍ରତିଶତକୁ ଖସେଇ ଆଣିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ନିକଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଓଡିଶାର ସ୍ଥାନ ଗରୀବ ରାଜ୍ୟ ତାଲିକାରେ ନବମ ସ୍ଥାନରେ ଅଛି ।
କେବଳ ସେତିକି ନୁହେଁ ରାଜ୍ୟ ସରକାର ବାରମ୍ବାର ଦାବୀ କରି ଆସୁଛନ୍ତି ଯେ ଓଡିଶାର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଅଧିକ ପୁଞ୍ଜି ନିବେଶ ଆକର୍ଷିତ କରି ପାରିଛି । କିନ୍ତୁ ନିକଟରେ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଓଡିଶାରେ ୨୦୧୮-୧୯ ବର୍ଷ ୩,୪୯,୩୯୨କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବା ବେଳେ ସେହି ବର୍ଷ ଗୁଜୁରାଟରେ ୯,୨୩,୮୫୩କୋଟି, ମହାରାଷ୍ଟ୍ରରେ ୬,୨୪,୩୭୬କୋଟି ଓ ତାମିଲନାଡୁରେ ୪,୨୨,୩୩୦କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ନୀତି ଆୟୋଗର ‘ଇଜ୍ ଅଫ୍ ଡୁଇଂ’ ବିଜନେସରେ ରାଜ୍ୟର ପାହ୍ୟା ୭ରୁ ଖସି ୨୯ରେ ପହଁଚିଲାଣି ।
ଶିଳ୍ପାୟନ ପ୍ରତିଷ୍ଠାନର ତୁମ୍ବିତୋଫାନ୍ କରୁଥିବା ବେଳେ ରାଜ୍ୟର କାରଖାନା ସଂଖ୍ୟା ମାତ୍ର ୩,୦୬୩ । ଆନ୍ଧ୍ର (୧୬,୭୩୯), ଗୁଜୁରାଟ (୨୬,୮୪୨), ହରିଆନା (୧୧,୮୩୫), ପଞ୍ଜାବ ( ୧୨,୮୨୫), ରାଜସ୍ଥାନ (୯, ୪୨୪), ତାମିଲନାଡୁ (୩୮,୧୩୧), ତେଲେଙ୍ଗାନା ( ୧୫,୧୬୬), ଉତରପ୍ରଦେଶ (୧୫,୮୫୪), ପଶ୍ଚିମବଙ୍ଗ ( ୯,୪୨୦) ଭଳି ଶିଳ୍ପୋନ୍ନତ ରାଜ୍ୟ ତ ଦୂରର କଥା ଆସାମ ( ୫,୦୨୦), ବିହାର (୩,୪୨୨), ଛତିଶଗଡ (୩,୫୭୬) ଭଳି ପଛୁଆ ରାଜ୍ୟମାନେ ମଧ୍ୟ କାରଖାନା ସଂଖ୍ୟା ଦୃଷ୍ଟିରୁ ଆମ ଆଗରେ ଅଛନ୍ତି । ତଥ୍ୟାନୁଯାୟୀ; ଭାରତର ପ୍ରତ୍ୟେକ ୧୦୦୦ ସହରୀ ଜନସଂଖ୍ୟାରେ ୭୭ଜଣଙ୍କ ପାଖରେ ନିଯୁକ୍ତି ନଥିବାବେଳେ ଓଡିଶାରେ ଏହା ୧୨୭ ।ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତାକୁ ଏକ ବଡ ଉପଲବ୍ଧି ଭାବେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ଭାରତୀୟ ସହରାଂଚଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ଭିତରେ ୯୯ଜଣ ବେରୋଜଗାର ଥିବାବେଳେ ଓଡିଶାରେ ଏହା ୨୧୯ । ଭାରତର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦନ ୧,୨୧,୨୬୭ ଟଙ୍କା ଥିବାବେଳେ ଓଡିଶାର ମୁଣ୍ଡପିଛା ନିଟ୍ ରାଜ୍ୟ ଘରୋଇ ଉତ୍ପାଦନ ୧,୦୯,୭୩୦ଟଙ୍କା । ଦେଶର ଶିଶୁ ମୃତ୍ୟୁ ହାର ୩୨ ଥିଲାବେଳେ ଓଡିଶାରେ ୪୦; ଯାହାକି ଦେଶର ୫ମ ସର୍ବାଧିକ । ଓଡିଶାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ତୁଳନାରେ ୪୬୧ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ଆବଶ୍ୟକ ତୁଳନାରେ ୧୧୯୫ଜଣ ବିଶେଷଜ୍ଞ ଡାକ୍ତର ନାହାଁନ୍ତି । ବିଦ୍ୟୁତ୍, ଜଳସେଚନ, ଅଣଶସ୍ୟ କୃଷି ଉତ୍ପାଦନ, ବଜେଟ ପରିଚାଳନା, ପୁଞ୍ଜି ନିର୍ମାଣ ହାର ଭଳି ଆହୁରି ଅନେକ ଦର୍ପଣରେ ନବୀନ ବାବୁଙ୍କ ସରକାର ନିଜ କୁଶାସନର ଚେହେରା ଦେଖି ନିଜ କୁକିର୍ତିର ତର୍ଜମା କରିପାରିଥାନ୍ତେ । ତେବେ ତାହା ନକରି ପୁଣି ମିଛ କହି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।