
-
ଆହତ ହାତୀର ଚିକିତ୍ସା ନିମନ୍ତେ ଉଦ୍ୟମ ଜାରୀ
ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ୍ ଅନ୍ତର୍ଗତ ଭୁଷଣ୍ଡପୁର ରେଲୱେ ଷ୍ଟେସନ ନିକଟ ଉଗ୍ରତାରା ରେଳ ଫାଟକ ଠାରେ ଗତକାଲି ରାତିରେ ଘଟିଥିଲା ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଟି ହାତୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ପରେ ଆଉ ଏକ ହାତୀର ମୃତ୍ୟୁ ଘଟିଛି । ଫଳରେ ଦୁର୍ଘଟଣାରେ ହାତୀ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥରେ ପହଂଚି ଦୁଇ ହାତୀଙ୍କ ମୃତଦେହ ଠାବ କରିଛନ୍ତି । ଏଥି ସହ ଆହତ ହାତୀକୁ ଠାବ କରିବା ସହ ତାର ଚିକିତ୍ସା ନିମନ୍ତେ ଉଦ୍ୟମ ଜାରୀ ରଖିଛନ୍ତି ।
ସୂଚନା ଅନୁଯାୟୀ, ଟାଙ୍ଗୀ ରେଞ୍ଜ୍ ଭୁଷଣ୍ଡପୁର ଉଗ୍ରତାରା ରେଳ ଫାଟକ ନିକଟରେ ଏହି ହାତୀ ପଲ ରେଳ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ୧୯ ଟିକିଆ ହାତୀ ପଲ ମଧ୍ୟରେ ୬ଟି ଦନ୍ତା, ୫ ଛୁଆ ହାତୀ ଏବଂ ୮ ଟି ମାଈ ହାତୀ ଥିବା ଜଣାପଡିଛି । ଏହି ହାତୀ ପଲ ରାତିରେ ଗାଁ ମୁହାଁ ହୋଇ ଧାନ ଫସଲ ଖାଇବା ପାଇଁ କ୍ଷେତକୁ ଯାଉଥିଲେ । ମାଲବାହୀ ଟ୍ରେନ୍ ଧକ୍କାରେ ଦନ୍ତାର ପଛ ପାର୍ଶ୍ୱରେ ଗୁରୁତର ଆଘାତ ଲାଗିଥିଲା । ନିକଟସ୍ଥ ପୋଖରୀ ପାଖରେ ତାର ମୃତଦେହ ଠାବ ହୋଇଛି । ଆହତ ଦୁଇ ହାତୀଙ୍କ ମଧ୍ୟରୁ ପରେ ଆଉ ଏକ ହାତୀର ମୃତ୍ୟୁ ଘଟିଛି । ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜର ରବିନ୍ଦ୍ର ନାଥ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଂଚି ଦୁଇ ହାତୀଙ୍କ ମୃତଦେହ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତି ଦିଆଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ । ସେହିପରି ବନ ବିଭାଗ ପକ୍ଷରୁ ଆହତ ହାତୀର ଚିକିତ୍ସା ଜାରୀ ରହିଛି ।