ବାରିପଦା – ଦୁର୍ନୀତି ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଦେଶ୍ୟ ନେଇ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ନିର୍ଦ୍ଦେଶ କ୍ରମେ ଦେଶର ସମଗ୍ର ରାଜ୍ୟରେ ୨୮ ଅକ୍ଟୋବର ଠାରୁ ୦୨ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ଜିଲ୍ଲା ଶାଖା ବାରିପଦା ମିଳିତ ଆନୁକୂଳ୍ୟରେ ସମସ୍ତ ସରକାରୀ, ଉଦ୍ୟୋଗ ଘରେଇ ସଂସ୍ଥା ଆଦି ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ ଶପଥ ପାଠ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଏବଂ ଆଲୋଚନା ଚକ୍ର, ଗ୍ରାମସଭା ଏବଂ ଜିଲ୍ଲା ସ୍ତରୀୟ ସାଧାରଣ ସଭା ଆଦି ଆୟୋଜନ ମାଧ୍ୟମରେ ଜିଲ୍ଲାର ଦୁର୍ନୀତ ନିବାରଣ ସଚେତନତା ସପ୍ତାହ ଜିଲ୍ଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ବାଲେଶ୍ୱର ଡିଭିଜନ ସୁନିଲ କୁମାର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ନେଇ ଦୁର୍ନତି ନିବାରଣ ବିଭାଗ କାର୍ଯ୍ୟଧାରା ସଂପର୍କରେ ଆଲୋକପାତ ପୂର୍ବକ ଦୁର୍ନୀତି କିପରି ସମାଜିକ ବିକାଶରେ କ୍ଷତି ପହଁଚାଇଥାଏ ସେ ସଂପର୍କୀତ ଉଲ୍ଲେଖ କରି ଦୁର୍ନୀତିର ପ୍ରତିକାର ପାଇଁ ସମ୍ମିଳିତ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏ ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଓଡିଶା ଲୋକ ସେବା ଅଧିକାର ଆଇନ, ଇ-ଗର୍ଭନାନସ୍ ଏବଂ ସୂଚନା ପ୍ରଯୁକ୍ତ ଜ୍ଞାନ କୌଶଳର ଉପଯୋଗ ଦ୍ୱାରା କାର୍ଯ୍ୟରେ ସ୍ୱଚ୍ଛତା ଅଣାଯାଇପାରିଛି ବୋଲି ପ୍ରକଶ କରିଥିଲେ । ଏଥି ସହିତ ଚଳିତ ବର୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନ ସ୍ତରରେ ଇନଟିଗ୍ରିଟି କ୍ଲବ ଗଠନ ମାଧ୍ୟମରେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ସହଯୋଗ କାମନା କରିଥିଲେ ।
ମୁଖ୍ୟବକ୍ତା ଭାବେ ବାରିପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅର୍ଥନୀତି ବିଭାଗ ବରିଷ୍ଠ ଅଧ୍ୟାପକ ଡ. ତରୁଣ କୁମାର ଓଝା ଏଥିରେ ଯୋଗ ଦେଇ ସାଂପ୍ରତିକ ସମାଜ ତଥା ବିଶ୍ୱର ୧୮୦ଟି ଦେଶରେ ଟ୍ରାନସପେରେନସି ଇନ୍ଟରନେସନାଲ୍ ସର୍ଭେ ସଂସ୍ଥା ଦ୍ୱାରା ୨୦୧୮ ବର୍ଷର ପ୍ରକାଶିତ ସର୍ଭେକ୍ଷଣ ତଥ୍ୟ ଅନୁସାରେ ଶତକଡା ୫୦ ସୂଚକାଙ୍କ ନିମ୍ନରେ ରହିଥିବା ବିଶ୍ୱର ଦୁଇ ତୃତିୟାଂଶ ଦେଶ ଦୁର୍ନୀତିର ପରିସଂଖ୍ୟାନ ବିବରଣୀ ଉପରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ଅଭିମନ୍ୟୁ ନାୟକ ଭା.ପୁ.ସେ, ଓ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ଓ.ଇ.ଏସ୍. ପ୍ରମୁଖ ଯୋଗ ଦେଇ ସମାଜ ତଥା ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ଦୁର୍ନୀତି ରୂପକ ସମାଜିକ ବ୍ୟାଧିର ଦୂରୀକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜ ଆଚରଣରେ ସଚ୍ଚୋଟତା ମାର୍ଗ ଅନୁସରଣ ପୂର୍ବକ ନୈ÷ତିକ ମୂଳ୍ୟବୋଧ ପ୍ରତି ସଜାଗ ରହି କର୍ତବ୍ୟ ସଂପାଦନ କରିବାକୁ ବକ୍ତବ୍ୟରେ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଳ ଅଧ୍ୟକ୍ଷତା କରି ସରକାରୀ ସ୍ତରରେ ସମସ୍ତ କର୍ମଚାରୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଆଇନ ଓ ନିୟମାବଳୀ ଅନୁସରଣ କରି କାର୍ଯ୍ୟ ସମ୍ପାଦନ କରିବା ସହ ଦୁର୍ନୀତି ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ କରାଯାଇଥିବା ।
ଅନ୍ୟମାନଙ୍କ ମଧ୍ୟରେ ଆଲୋଚନା ସଭାରେ ଉପସ୍ଥିତ ଥିବା ଅବସରପ୍ରାପ୍ତ ଶିକ୍ଷକ ଇଂରାଜୀ ତଥା ରୋଟାରିଆନ୍ ଅରୁଣ କୁମାର ଦାସ, ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ / ଏନ୍.ଏସ୍.ଏସ୍. ଯୁବ ସ୍ୱେଚ୍ଛାସେବୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରି ଦୁର୍ନୀତି ନିବାରଣ ସଂପର୍କରେ ମତ ପୋଷଣ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ନେଇ ସତର୍କତା ଏକ ଜୀବନ ଶୈଳୀ ଶୀର୍ଷକ ଉପରେ ଉଭୟ ଓଡିଆ ଇଂରାଜୀରେ ଅନୁଷ୍ଠିତ ତର୍କ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ବାରିପଦା ଭିଜିଲାନ୍ସ ଶାଖାର ଡିଏସପି ଭିଜିଲାନ୍ସ ଶରତ କୁମାର ମହାପାତ୍ର ଏବଂ ସଂପୃକ୍ତ ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିବାବେଳେ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।