ବଲାଙ୍ଗିର, ଦୃଢ଼ ଆତ୍ମବିଶ୍ୱାସ ଓ ଅଧ୍ୟାବସାୟ ବଳରେ ଅସମ୍ଭବକୁ ବି ସମ୍ଭବ କରିହୁଏ । ଲକ୍ଷ୍ୟ ଯଦି ମହତ୍ ଥାଏ ତେବେ ରାସ୍ତା ଆପେ ଆପେ ଆସିଥାଏ । ଏହାକୁ ପ୍ରମାଣିତ କରି ଦେଇଛନ୍ତି ବଲାଙ୍ଗୀର ସହର ରୁଗୁଡି ପଡାର ଜଣେ ଉଦ୍ଯୋଗୀ ଯୁବକ ଅନୀଲ କୁମାର ନନ୍ଦ । ବଲାଙ୍ଗୀର ସଦର ବ୍ଳକ ଖର୍ଲିକାନୀ ଗ୍ରାମ ନିକଟରେ ଅଢ଼େଇ ଏକର ପରିମିତ ବିସ୍ତୀର୍ଣ୍ଣ ଜମିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିବାରେ ସଫଳ ହୋଇଛନ୍ତି ଅନୀଲ । ଅନୀଲ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ କର୍ମଚାରୀ । ଅନେକ ପରିଶ୍ରମ କରି ଦିନରେ ୫ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କ ର ଟିନି ସଂଚୟ ଯୋଜନାରେ ଜମା ସଂଗ୍ରହ କରିବା ତାଙ୍କ କାମ ଥିଲା । କରୋନା ଯୋଗୁଁ ମାର୍କେଟ ସବୁ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଅନୀଲ ଖାଲି ବସି ନଥିଲେ । ତାଙ୍କର ପିଲାଦିନରୁ ବାପା ବ୍ରଜ ସୁନ୍ଦର ନନ୍ଦଙ୍କ ସହ ପୈତୃକ ଗ୍ରାମ ସିଆଲ ବନ୍ଧ ଗ୍ରାମରେ ବାପାଙ୍କ ସହ କରିଥିବା କାମ ପ୍ରେରଣା ଯୋଗାଇଥିଲା । ସେ ନିଜର କିଛି ଜମିରେ ଅଭିନବ କାମ କରିବାର ସ୍ୱପ୍ନ ଦେଖିଥିଲେ । ତେବେ ତାଙ୍କ ଯୋଜନାର ସଫଳ ରୂପାୟନ ହେବା ପଛରେ ନିଜର ବାପା ମା ଙ୍କ ଆଶିର୍ବାଦ, ବଡ ଭାଇ ସୁଶୀଳ, ସୁଧୀର, ପତ୍ନୀ ମୀରା ଓ ଏକମାତ୍ର ପୁଅ ବିଶ୍ୱାସଙ୍କ ସହଯୋଗ ତଥା ଭଗବାନଙ୍କ କୃପା ରହିଛି ବୋଲି କହିଛନ୍ତି ଅନୀଲ । ଏହି ପନିପରିବା ଚାଷ ଜରିଆରେ ସେ ପ୍ରଚୁର ଆତ୍ମସନ୍ତୋଷ ଲାଭ କରିବା ସହ ପାଖ ଗାଁର କିଛି ଲୋକଙ୍କ ପାଇଁ ସେ ରୋଜଗାରର ମାଧ୍ୟମ ପାଲଟିଛନ୍ତି ବୋଲି କହନ୍ତି ଅନୀଲ ।
ବଲାଙ୍ଗୀର ସହରରୁ ମାତ୍ର ୭ କିଲୋମିଟର ଦୂର ଏକ ବଣ ପାହାଡ଼ ଘେରା ଶାନ୍ତ, ଶୀତଳ ଓ ପ୍ରାକୃତିକ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଅନୀଲଙ୍କ ଏହି ଜମିରେ ଜଗୁଆଳି ପାଇଁ କରିଥିବା ଆବାସ ଗୃହ ଫାର୍ମକୁ ଲାଗି ରହିଛି ଫାର୍ମ ହାଉସ । ଏଠାରେ ସେ ସିମଲା ମିରଚି (କେପ୍ସିକମ୍), କଦଳୀ, ବାଇଗଣ, ସଜନା, ପିଜୁଳି, ଆମ୍ବ, ମୂଳା, ଧନିଆପତ୍ର, ରସୁଣ ଆଦି ବିଭିନ୍ନ କିସମର ପନିପରିବା ଓ ଫଳ ଗଛ ଲଗାଇଛନ୍ତି । ଏକ ମନୋରମ ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଏହି ବଗିଚାର ରକ୍ଷଣାବେକ୍ଷଣ ପାଇଁ ୪ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଓ.ୟୁ.ଟି ର ଜଣେ ଅଭିଜ୍ଞ ଟେକ୍ନିସିଆନ ଇଂ. ଅଭିଜିତ ମିଶ୍ରଙ୍କ ଦିଗ୍ଦର୍ଶନ ତଥା ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପନିପରିବା ଓ ଫଳ ବଗିଚା ପରିଚାଳିତ ହେଉଛି । କିଛି ଦିନ ତଳେ ବଲାଙ୍ଗୀର ଉଦ୍ୟାନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ଫାର୍ମ ହାଉସକୁ ପରିଦର୍ଶନରେ ଆସି ଏଠାକାର ଚାଷ ପ୍ରଣାଳୀ, ଉତ୍ତମ ପରିବେଶ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗର ଭୂୟସୀ ପ୍ରଶଂସା କରି ଯାଇଛନ୍ତି । ସମ୍ପ୍ରତି ବଲାଙ୍ଗୀର ଜିଲ୍ଲାରେ ପନିପରିବାର ଚାହିଦା ଅହେତୁକ ଭାବରେ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଚାହିଦା ମୁତାବକ ପନିପରିବା ଚାଷ ହେଉ ନଥିବାରୁ ବାହାର ଜିଲ୍ଲା ତଥା ରାଜ୍ୟରୁ ପନିପରିବା ରପ୍ତାନୀ ହେଉଛି । ଏପରି ପରିସ୍ଥିତିରେ ଜିଲ୍ଲାର ଅସଂଖ୍ୟ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବାର ଏକ ରାସ୍ତା ଦେଖାଇଛନ୍ତି ଅନୀଲ । ଅନୀଲଙ୍କ ନିଜସ୍ୱ ଉଦ୍ୟମରେ ତଥା ବିନା ସରକାରୀ ସାହାଯ୍ୟ ସହଯୋଗରେ ଗଢ଼ି ଉଠିଥିବା ଏହି ପନିପରିବା ବଗିଚା ଆଗାମୀ ଦିନରେ ବଲାଙ୍ଗୀରରେ ଦେଖାଦେଇଥିବା ପନିପରିବାର ଅଭାବକୁ ଅନେକାଂଶରେ ଦୂର କରିବ । କାରଣ ଅନେକ ଚାଷୀ ପ୍ରେରଣା ପାଇ ଏ ଦିଗରେ କାମ କରିବେ ଏଥିରେ ସନ୍ଦେହ ନାହିଁ ।