
କଣାସ, ପୁରୀ ଜିଲ୍ଲା କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀର ଶାଖା ମକରା ନଦୀ, ମକରା ନଦୀରୁ ବାହାରିଥିବା ସହସପୁର ଠାରୁ ଆଡିନଦୀ ଦଳପୂର୍ଣ୍ଣ ହୋଇଥିବାରୁ ଏଥିରେ ଜଳପ୍ରବାହିତ ହେବାରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଫଳରେ ଏହି ନଦୀ ଉପରେ ଭରଷା କରୁଥିବା ସାହସପୁର, ବଡଓରା, ସାନଓରା, ଓଗାଳପୁରର ଶହଶହ ହେକ୍ଟର ଜମିରେ ହେବାକୁ ଥିବା ଖରାଟିଆ ଧାନଫସଲ ଚାଷୀମାନେ କରିପାରୁ ନ ଥିବାରୁ ଏନେଇ ଚାଷୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯାଇଛି । ମକରା ନଦୀରୁ ଆଡିନଦୀକୁ ଜଳ ପ୍ରବାହିତ ମୁଖ୍ୟ ନଦୀମଧ୍ୟରେ ପ୍ରବଳମାତ୍ରାରେ କଲିକତିଦଳ ଜମା ହୋଇ ରହିଛି ଓ ନଦୀସାରା କଲିକତିଦଳ ମାଡି ଯାଇଛି । ଚାଷୀମାନେ ଶାରଦ ଧାନଫସଲ ପ୍ରତିବର୍ଷ ହରାଉଥିବା ବେଳେ ଖରାଟିଆ ଧାନଫସଲ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଦୁଇବର୍ଷ ହେଲା ନଦୀରେ ଦଳଭର୍ତି ହୋଇ ରହିଥିବା ଯୋଗୁଁ ଚାଷୀମାନେ ବିଲକୁ ପଡିଆ ରଖିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟପକ୍ଷରେ ବର୍ଷାଜଳ ଓ ବନ୍ୟାଜଳ ଦଳ ଯୋଗୁଁ ନିଷ୍କାସନ ହୋଇପାରୁନଥିବାରୁ ଶାରଦ ଧାନଫସଲ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି । ଯୁଦ୍ଧକାଳୀନ ଭିତିରେ ବିଭାଗୀୟ ଅଧିକାରୀମାନେ ଦଳ କାଢିବା ପାଇଁ ଚାଷୀ ଗୁରୁଦେବ ସ୍ୱାଇଁ, ପ୍ରଶନ୍ନ ମହାରଥୀ, ବିଜୟ ସାହୁ, ମହେନ୍ଦ୍ର ସାହୁ, ସାନ୍ତାନୁ ସାମନ୍ତରାୟ, ତ୍ରିନାଥ ସାହୁ, ରତ୍ନାକର ପ୍ରଧାନ, ସକଲି ପ୍ରଧାନ, ଜୟକୃଷ୍ଣ ସାମନ୍ତରାୟ ପ୍ରମୁଖ ଦାବି କରିଛନ୍ତି ।ପ୍ରକାଶ ଥାଉକି, ତିନିବର୍ଷ ତଳେ ଡ୍ରେନେଜେ ବିଭାଗ ପକ୍ଷରୁ ନାମକୁ ମାତ୍ର ଦଳସଫା କରାଯାଇଥିଲା ।