
-
ହାଇକୋର୍ଟରେ ଜାମିନ୍ ଆବେଦନ ନେଇ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ପ୍ରସ୍ତୁତି
ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା କେଗାଁ ସ୍ଥିତ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନକୁ କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ଖାରଜ କରିବା ପରେ ସେ ବର୍ତମାନ ହାଇକୋର୍ଟରେ ଜାମିନ୍ ଆବେଦନ କରିବା ନେଇ ନିଜ ଓକିଲଙ୍କ ଜରିଆରେ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।
କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଗତ ୨୧ ତାରିଖରେ ଅଭିଯୁକ୍ତ ଗୋବିନ୍ଦର ଜାମିନ୍ ଆବେଦନ ଶୁଣାଣି ପରେ ଅଦାଲତ ମମିତା ମେହେର ଭଳି ଗୋଟିଏ ସମ୍ବେଦନଶିଳ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଗୋବିନ୍ଦକୁ ଜାମିନ୍ ଦେବାକୁ ରୋକ୍ ଠୋକ୍ ମନା କରିଥିଲେ । କାରଣ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯିବା ପୂର୍ବରୁ ଟିଟିଲାଗଡ଼ ଥାନା ପୁଲିସ ବାରାକ୍ ରେ ପଚରା ଉଚରା କରିବା ପାଇଁ ରଖାଯାଇଥିବା ବେଳେ ସେଠାରୁ ପୁଲିସ ଆଖିରେ ଧୂଳି ଦେଇ ସେ ଚମ୍ପଟ ମାରିଥିଲା । ଗୋବିନ୍ଦ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେ ଜାମିନ୍ ରେ ବାହାରକୁ ଆସିଲେ ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଏବଂ ପ୍ରମାଣ ନଷ୍ଟ କରିବାର ଆଶଙ୍କା ଥିବାରୁ କୋର୍ଟ ତାର ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ ।