ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜୟରାମପୁର ପଂଚାୟତର କାଜିହାଟ ଠାରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗ୍ରାମାଂଚଳ ହାଟ ପିଣ୍ଡିକୁ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ, ଆଇନ, ପାନୀୟଜଳ, ଗୃହ ନିର୍ମାଣ, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ।
ଆୟୋଜିତ ଏହି ସଭାରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବିଜେଡି ନେତା ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ୨୬ ନଂ ଜିଲ୍ଲାପରିଷଦ ଜୋନ୍ ସଭ୍ୟ ସେକ୍ ଜାହିର ମହମ୍ମଦ, ୨୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସବିତା ସାମଲ, ଜୟରାମପୁର ସରପଂଚ ପ୍ରାଣକୃଷ୍ଣ ସେଠୀ, ବିଜେଡି ଯୁବନେତା ବିପ୍ଳବ କାପ, ଜ୍ୟୋତିରଂଜନ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ଜାକୀର ଖାନ୍, ବିଜୁ ଛାତ୍ର ଜନତା ଦଳ ସଭାପତି ସତ୍ୟଜିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଦର୍ଶ ହାଟ ଉଦଘାଟନ ଫଳରେ ସ୍ଥାନୀୟ ଅଂଚଳର ଚାଷୀ, ବ୍ୟବସାୟୀ ଓ ଖାଉଟିମାନେ ସୁରୁଖୁରୁରେ ହାଟକୁ ଆସି ସେମାନଙ୍କର ବ୍ୟବସାୟ କରିବା ସହିତ ଅତ୍ୟାବଶ୍ୟକ ଜିନିଷ କିଣାବିକା କରିପାରିବେ । ପକ୍କାପିଣ୍ଡି ସହିତ ଉଜ୍ଜଳ ଆଲୋକୀକରଣ, ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି । କାଜିହାଟ ଠାରେ ଉକ୍ତ ଗ୍ରାମାଂଚଳ ହାଟ ପିଣ୍ଡି ନିର୍ମାଣ କରାଯାଇ ଲୋକାର୍ପଣ କରାଯାଇଥିବାରୁ ସ୍ଥାନୀୟ ଅଂଚଳ ବାସିନ୍ଦାମାନେ ମନ୍ତ୍ରୀଙ୍କ ଭୂୟଶୀ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପଚାଂୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବାକୁ ଦୃଷ୍ଟିରେ ରଖି ତରବରିଆ ଭାବେ କାର୍ଯ୍ୟ ହୋଇଥିବାରୁ ଏହି ପିଣ୍ଡିର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।