
ମାଲକାନଗିରି,ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ରାଜ୍ୟ ମହିଳା ଆୟୋଗ ତରଫରୁ ମହିଳାଙ୍କୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଶନ ଅଧ୍ୟକ୍ଷା ଡ . ମିନତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୌଦାମିନୀ ପ୍ରଧାନ, ଆରପି ପ୍ରିୟଦର୍ଶିନୀ ସାହୁ, ଜଲିନା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସଚେତନତା ଶିବିରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା, ପାରିବାରିକ ହିଂସାରୁ ସୁରକ୍ଷା, ଓଡ଼ିଶା ଡାହାଣୀ ଚିହ୍ନଟ ନିବାରଣ ଆଇନ, ବାଲ୍ୟବିବାହ ଆଇନ, ସାଇବର ଅପରାଧ ଆଇନ ଭଳି ବିଭିନ୍ନ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ କୋଭିଡ – ୧୯ ସମୟରେ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ମହିଳାଆୟୋଗ ତରଫରୁ ପୁରସ୍କୃତ କରାଯାଇଥିଲା । ସେମାନେ ହେଲେ ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଡ.ଅମୀୟ କୁମାର ସ୍ବାଇଁ, ସତୀଗୁଡା ଉପକେନ୍ଦ୍ର ଆଶାକର୍ମୀ ସୁଲୋଚନା ହରିଜନ, କନେଷ୍ଟବଳ ସବିତା ମାଢି, ଆଇନଜୀବି ରୀତା କୁମାରୀ ନାୟକ, ଚିତ୍ରକୋଣ୍ଡା ବ୍ଲକ୍ ହାଣ୍ଡିଖାଲର ଅଙ୍ଗନବାଡି କର୍ମୀ ଚନ୍ଦ୍ରକଳା ନାୟକ, କାଲିମେଳା ମାଳତୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି, କାଲିମେଳା ବ୍ଲକ୍ ତେଲରାଇ ପଞ୍ଚାୟତର ସରପଞ୍ଚ ପଦ୍ମନୀ ସୋଡି, ମୋଟୁ ସ୍କୁଲର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ସାମନ୍ତରାୟ, ୱାନ୍ ଷ୍ଟପ୍ ସେଣ୍ଟର କର୍ମୀ କମଳା ଖରା ଏବଂ ଡାକ୍ତର ସୌମ୍ୟ ପ୍ରିୟଦର୍ଶିନୀ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଲୋକ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।