କନ୍ଧମାଳ, ଆସୁଛି ବଡଦିନ, ସମସ୍ତ ସାଜସଜା ଶେଷ ପର୍ଯ୍ୟାୟରେ । ସମସ୍ତଙ୍କ ଅପେକ୍ଷା ପ୍ରଭୁ ଯୀଶୁ କେତେବେଳେ ଧରାପୃଷ୍ଠରେ ଅବତରଣ କରିବେ । କୋଭିଡ କଟକଣା ସହ ପାଳନ ହେବ ବଡଦିନ । ସେପଟେ ଡିସେମ୍ବର ୨୫ ରେ କୁଇ ସମାଜ ପକ୍ଷରୁ ପାଳନ ହେବ ଖଗେଶ୍ଵର ମଲିକଙ୍କ ସହିଦ ଦିବସ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଉ ଗୋଟିଏ ଦିନ ପରେ ବଡ଼ଦିନ । ସଜେଇ ହେଲାଣି ଚର୍ଚ୍ଚ ଏବଂ ଗୀର୍ଜା ଗୃହ । ସମସ୍ତ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଅପେକ୍ଷା । ପ୍ରଭୂ ଯୀଶୁ ଧରାପୃଷ୍ଠ ଅବତରଣ କରିବେ । ସେଥିପାଇଁ ଚିକମିକ୍ ଆଲୁଅରେ ଝଲୁସୁଛି ସମସ୍ତ ପାର୍ଥନା ଗୃହ । ରଙ୍ଗବେରଙ୍ଗର ଷ୍ଟାର ସହ ଚିକମିକ୍ ଜରିରେ ଝଲସୁଛି ଗୀର୍ଜା ଗୃହ । ବଡ଼ ଦିନକୁ ଖୁବ ଆଡମ୍ବରରେ ପାଳନ ପାଇଁ ଚାଲିଛି ନାଚ ଗୀତର ଅଭ୍ୟାସ । ପ୍ରତୀକ ସ୍ୱରୂପ ପ୍ରଭୁ ଯୀଶୁ ଜନ୍ମ ନେଇଥିବା ଗୁହାଳ ଘର ମଧ୍ୟ ଚାଲିଛି ତିଆରି । କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ବଡଦିନ । ସମସ୍ତ ଗୀର୍ଜା ଗୃହ ଗୁଡିକୁ ୫୦ ପ୍ରତିଶତ ଭକ୍ତରେ ପାଳନ ସହ ମାସ୍କ, ସାନିଟାଇଜ ବ୍ୟବହାର କରିବେ ଶ୍ରଦ୍ଧାଳୁ । ବେଶ୍ ଖୁସିରେ ଅପେକ୍ଷା କରିଛନ୍ତି ଏହି ବଡଦିନ କୁ ଖ୍ରୀଷ୍ଟପ୍ରେମୀ । ସେପଟେ କୁଇ ସମାଜ ପକ୍ଷରୁ ୨୫ ତାରିଖ ଦିନ ବାରଖମରେ ୨୦୦୭ ରେ ମୃତ୍ୟୁବରଣ କରିଥିବା ଖଗେଶ୍ଵର ମଲିକଙ୍କ ଶ୍ରାଦ୍ଧ ଦିବସ ପାଳନ କରିବା ସହ ଫୁଲବାଣୀରେ ଏକ ସଭା ଆୟୋଜନ ହୋଇଥିବା କହିଛନ୍ତି କୁଇ ନେତା ଲମ୍ବୋଦର କହଁର । ବଡ ଦିନ କୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲାର ସମସ୍ତ ଛକ ମାନଙ୍କରେ ଗାଡି ତନଖି କରାଯାଉଥିବା ବେଳେ ଜିଲାର ସମସ୍ତ ଜାଗାରେ ପୋଲିସକୁ ମୁତୟନ କରାଯାଇଛି । ଜିଲାରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୦ ଜଣ ଆଡିସନାଲ ଏସପି ନିୟୋଜିତ ହୋଇଛନ୍ତି । ସେହିପରି ୮ ଜଣ ଡ଼ିଏସପି, ୧୨ ଜଣ ଇନ୍ସପେକ୍ଟର, ୨ ଡେପୁଟି କମଣ୍ଡେଣ୍ଟ ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ । କୋଭିଡ କଟକଣା ସହ ଶାନ୍ତିଶୃଙ୍ଖଳାର ସହକାରେ କିଭଳି ପାଳନ ହେବ ବଡଦିନ ତାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।