ଭୁବନେଶ୍ୱର, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଛି । ଶୁକ୍ରବାର ସକାଳ ସାଢ଼େ ୯ଟାରେ ଭୁବନେଶ୍ୱରରେ ପରଲୋକ ହୋଇଥିବା ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଜନ୍ମମାଟି କୋଦଳାକୁ ତାଙ୍କ ମୃତଦେହକୁ ନିଆଯିବ । ସେଠାରେ ଲୋକେ ଶେଷ ଦର୍ଶନ କରିବା ପରେ ପୁରୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସେ ଅର୍ଥ ଓ ଗ୍ରାମ୍ୟ ଉନ୍ନୟନ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।
୧୯୪୦ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଲାଭ କରିଥିବା ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକ ଗଂଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଥିଲେ । ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ଗଞ୍ଜାମ ଜିଲ୍ଲା କୋଦଳା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୦-୯୫ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ । ଏହାପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ ।
କୋଦଳା ନିର୍ବାଚନ ମଣ୍ଡଳୀରୁ ରାମକୃଷ୍ଣ ଜନତା ଦଳ, ଜନତା ପାର୍ଟି ଓ ବିଜୁ ଜନତା ଦଳରୁ ୫ ଥର ବିଧାୟକ ହୋଇଛନ୍ତି । ୧୯୯୬ରୁ ୧୯୯୭ ଯାଏଁ ବିରୋଧୀ ଦଳ ନେତା ରହିଥିଲେ ରାମକୃଷ୍ଣ । ତେବେ ୨୦୧୪ରେ ରାମକୃଷ୍ଣ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଶୋକବାର୍ତାରେ କହିଛନ୍ତି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ରାଜନୀତିଜ୍ଞ ଓ ଦକ୍ଷ ମଣିଷକୁ ହରାଇଲା ବୋଲି କହିଛନ୍ତି । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।