କେନ୍ଦୁଝର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପରିବାରଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ପରେ ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ୭ ଜଣ ହିତାଧିକାରୀଙ୍କ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ହାଡିବନ୍ଧୁ ସେଠୀ, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ, କେନ୍ଦୁଝର ସଂଜୀବ ବାରିକ, ଅତିରିକ୍ତ ଯୋଗାଣ ଅଧିକାରୀ ବୀର କିଶୋର ମାରାଣ୍ଡି ଓ ମନ ମୋହନ ପଟ୍ଟନାୟକ, ସହକାରୀ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ, ସଦର ବ୍ଳକର ଯୋଗାଣ ନିରୀକ୍ଷକ ଅମ୍ବିକା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନାରେ ଜିଲ୍ଲାର ୪ ଲକ୍ଷ ୧୯ ହଜାର ୫୭୦ ପରିବାର ଉପକୃତ ହେବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପରେ ଜିଲ୍ଲାର ଅନ୍ୟାନ୍ୟ ବ୍ଳକରେ ମଧ୍ୟ ସହାୟତା ରାଶି ବଂଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।