ଭୁବନେଶ୍ୱର, ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଧାନସଭା ପରିସରରେ ମର ଶରୀର ପହଂଚିବା ପରେ ଗାର୍ଡ ଅଫ ଅନର ପ୍ରଦାନ ସହ ତାଙ୍କ ମର ଶରୀରରେ ପୁଷ୍ପ ଅର୍ପଣ କରାଯାଇ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା । ଏଥିରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଡ଼ଃ ବୁଧାନ ମୁର୍ମୁ ଏବଂ ପୂର୍ବତନ ଲୋକସଭା ସାଂସଦ ପ୍ରଶନ୍ନ ପାଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ ।
ଏକ ଶୋକବାର୍ତାରେ ବାଚସ୍ପତି ଡ଼ଃ ପାତ୍ର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାମକୃଷ୍ଣ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ସ୍ମରଣ ସହ ମନ୍ତ୍ରୀ ହିସାବରେ ତାଙ୍କର କାର୍ଯ୍ୟଦକ୍ଷତାର ଉଚ୍ଚ ପ୍ରଶଂସା କରିଛନ୍ତି । କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ନିର୍ବାଚିତ ହେବା ତାଙ୍କର ଅଭୂତପୂର୍ବ ଜନପ୍ରିୟତାର ପରିଚାୟକ ବୋଲି ମଧ୍ୟ ସେ ବର୍ଣ୍ଣନା କରିଛନ୍ତି । ସେ ମଧ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ସେହିପରି ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କର ବିୟୋଗ ରାଜନୈତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ।