-
୧ ଲକ୍ଷରୁ ଉର୍ଦ୍ଧ୍ୱ ବିକ୍ରେତା ହେବେ ଉପକୃତ
-
୮୭ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବ, ଖର୍ଚ୍ଚ ହେବ ୬୦ କୋଟି
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ୧୧୪ଟି ସହରାଂଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଂଚଳରେ ଭେଣ୍ଡିଂ ଜୋନ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ୱ ବିକ୍ରେତା ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି । ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି ।’ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ । ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ୱ ବିକ୍ରେତା ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ । ବଡ ବଡ ମଲ୍ ଓ ଦୋକାନ ଥିବା ସତ୍ୱେ, ପଥପାର୍ଶ୍ୱ ବିକ୍ରେତା ମାନଙ୍କର ଗୁରୁତ୍ୱ ରହିଛି ଓ ରହିବ ବୋଲି ସେ କହିଥିଲେ । କୋଭିଡ ଭୟ ଏବେ ବି ଯାଇନାହିଁ । ତେଣୁ ସତର୍କ ରହିବା ସହ କୋଭିଡର ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗରିବଙ୍କ ମନର କଥା ବୁଝୁଥିବା ଜଣେ ଜନନେତା । ଅଭିନବ ଉପାୟରେ ସେ ସମସ୍ତଙ୍କୁ ସବୁ ସମୟରେ ସାହାଯ୍ୟ କରିଆସିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଘର ମରାମତି ସହାୟତା ସହିତ ରାଜ୍ୟର ଅନେକ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ୱ ବିକ୍ରେତାମାନେ କହିଲେ ଯେ ଲକ୍ ଡାଉନ ହେବା ପରେ ସେମାନଙ୍କର ଆର୍ôଥକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଠିକ୍ ସମୟରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ଦୁଇ ଥର ସାହାଯ୍ୟ ପାଇବା ପରେ ଆଜି ତୃତୀୟ ଥର ସହଯୋଗର ହାତ ବଢାଇଛନ୍ତି । ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ହଜାର ହଜାର ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ, ମ୍ୟୁନିସ୍ପାଲ ଆଡମିନିଷ୍ଟ୍ରେସନ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନରମାନେ ଏବଂ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ପୌରାଂଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ ।