-
କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ୱରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମା ମାଣିକେଶ୍ୱରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ୱାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାଣେକେଶ୍ୱରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି । କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା – ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି । କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜ କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି । ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କଳାହାଣ୍ଡି ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଲାଞ୍ଜିଗଡ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।