
ପୁରୀ, ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୱେବିନାର ମାଧ୍ୟମରେ ଆଜି ପାଳିତ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ପକ୍ଷରୁ ଜିଲ୍ଲା ଏନଆଇସି କକ୍ଷରେ ଭର୍ଚ୍ୟୁଆଲ ମାଧ୍ୟମରେ “ଉପଭୋକ୍ତା- ଜାଣନ୍ତୁ ଆପଣଙ୍କ ଅଧିକାର” ଶୀର୍ଷକ ଉପରେ ଆଲୋଚନା ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଭୋକ୍ତା ମାନଙ୍କ ଅଧିକାର ଉପରେ ଗୁରୁତ୍ବାରୋପ କରିଛନ୍ତି । ଖାଉଟି ମାନଙ୍କ ସୁରକ୍ଷା ନିମନ୍ତେ ପ୍ରଥମେ ୨୪ ଡିସେମ୍ବର ୧୯୮୬ ମସିହାରେ ଏକ ଆଇନ ପ୍ରଣୟନ କରାଯାଇଥିଲା । ସେହିଦିନ ଠାରୁ ଆଜିର ଦିବସକୁ ଜାତୀୟ ଉପଭୋକ୍ତା ଦିବସ ଭାବେ ପାଳନ କରାଯାଉଛି । ଉପଭୋକ୍ତା ମାନଙ୍କ ଅଧିକାର ଓ ଦାୟିତ୍ବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ବଜାରରୁ ବିଭିନ୍ନ ସାମଗ୍ରୀ କ୍ରୟବେଳେ ଉପଭୋକ୍ତା ମାନେ ଏହାର ମାନ, ଗୁଣବତ୍ତା, ବ୍ୟବହାର୍ଯ୍ୟ ତାରିଖ ଆଦି ଯାଞ୍ଚ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବଡାସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପଭୋକ୍ତା ମାନଙ୍କ ଥିବା ବିଭିନ୍ନ ଅଧିକାର ସମ୍ପର୍କରେ ଆଲୋଚନା କରିଛନ୍ତି । ଖାଉଟି ବଜାରର ପରିସୀମା ସମୟକ୍ରମେ ବ୍ୟାପକ ହେଉଥିବାରୁ ଅନେକ ନକଲି ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନେ ସଚେତନ ହେବା ନେଇ ମତାବ୍ୟକ୍ତ କରିଥିଲେ । ଖାଉଟି ମାନେ କୌଣସି ସ୍ଥାନରେ ଠକାମିର ଶିକାର ହେଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିପାରିବେ ବୋଲି ବେସରକାରୀ ସଂସ୍ଥା ନିହିଡାର ସଂପାଦକ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅମ୍ବୁଡସମ୍ୟାନ ଭକ୍ତ ବିହାରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ଖାଉଟି ମାନେ ସାମଗ୍ରୀ କ୍ରୟ ବେଳେ ବୈଧ ରସିଦ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସାମଗ୍ରୀ କ୍ରୟ ବେଳେ ସରକାରଙ୍କ ପକ୍ଷରୁ ସ୍ବୀକୃତି ଥିବା ଚିହ୍ନକୁ ଯାଞ୍ଚ କରିବା ଆବଶ୍ୟକତା ରହିଛି । ଖାଉଟି ମାନେ ସଚେତନ ହେଲେ ଶଠ ସଂସ୍ଥା ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ବୈଧ ମାପ ବିଜ୍ଞାନ ଉପ ନିୟନ୍ତ୍ରକ ହରି ଶଙ୍କର ପଟ୍ଟନାୟକ କହିଥିଲେ ।
ଏହି ଅବସରରେ ସହକାରୀ ନିୟନ୍ତ୍ରକ ରାଜେଶ କୁମାର ନାୟକ, ନେହେରୁ ଯୁବକେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ଓ ସୁରକ୍ଷା ଉପରେ ମଧ୍ୟ ମତବ୍ୟକ୍ତ କରିଥିଲେ ।