
ନୂଆପଡ଼ା, ମର୍ଯ୍ୟଦା ପ୍ରଡୁସର କମ୍ପାନୀର ସପ୍ତମ ବାର୍ଷିକ ଉତ୍ସବ ବୋଡ଼େନ ବ୍ଲକର ଝିରନୀଖୋଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମର୍ଯ୍ୟଦା କମ୍ପାନୀର ବାର୍ଷିକ ବିବରଣୀ ଓ ଚାଷୀ ମାନଙ୍କର ପ୍ରଗତି ସମ୍ପର୍କିତ ବିଭିନ୍ନ ସମସ୍ୟା ସହ ସମାଧାନର ପନ୍ଥା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଚାଷୀ ମାନଙ୍କର ବିଭିନ୍ନ ଫସଲର ଉତ୍ପାଦ ବୃଦ୍ଧି କରିବା, ଚାଷ ପ୍ରଣାଳୀରେ ବୈଷୟିକ ଜ୍ଞାନ କୌଶଳକୁ ପ୍ରୟୋଗ କରିବା, ଚାଷୀ ମାନଙ୍କୁ ଋଣ ଆକାରରେ ସହାୟତା କରିବା ଓ ଉତ୍ପାଦିତ ଦ୍ରବ୍ୟର ଉଚିତ ଦର ଯୋଗାଇ ଦେବା ପାଇଁ ବଜାର ବ୍ୟବସ୍ଥା କରିବା ସହ ମର୍ଯ୍ୟଦା କମ୍ପାନୀ ଚାଷୀ ମାନଙ୍କର ନିକଟତର ହେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କୃଷି ସମ୍ପର୍କିତ ସରକାରୀ ଯୋଜନା ଗୁଡିକ ଯେପରିକି ସମନ୍ୱିତ ଚାଷର ବିକାଶ ଓ ଓଡ଼ିଶା ମିଲେଟ ମିଶନର ଯୋଜନା ଚାଷୀ କିପରି ପାଇପାରିବେ ତା ଉପରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା ।
ଏହି ବାର୍ଷିକ କାର୍ଯ୍ୟକ୍ରମରେ ବୋଡେ଼ନ ବ୍ଲକର ପ୍ରାୟ ୧୫୦ ପ୍ରଗତିଶୀଳ ଚାଷୀ ଅଂଶ ଗ୍ରହଣ କରିଥିବା ବେଳେ କମ୍ପାନୀର ନିର୍ଦ୍ଦେଶକ ବୃନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପଲ୍ଲୀବିକାଶ ସଂସ୍ଥା ତରଫରୁ ସହାୟତା ଯୋଗାଇ ଦିଆଯାଇଥିଲା ।