-
ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର
ବଲାଙ୍ଗିର, ଖୋର୍ଦ୍ଧା – ବଲାଙ୍ଗୀର ନିର୍ମାଣାଧିନ ରେଳପଥ ସମଗ୍ର ଦେଶର ଏକ ବିଳମ୍ବିତ ରେଳ ପ୍ରକଳ୍ପ ଭାବେ ଜଣାଶୁଣା । ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ଦାବୀକୁ ସମ୍ମାନ ଦେଇ ଏହି ରେଳପଥର ନିର୍ମାଣ କାର୍ଯ୍ୟକୁ କ୍ଷୀପ୍ରତର କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ରେଳ ବିଭାଗ ଆଗେଇ ଆସି ୨୦୧୫ ମସିହାରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ । କୌଣସି ଏକ ରେଳ ପଥର ନିର୍ମାଣ ପାଇଁ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ଏଭଳି ବୁଝାମଣା ପତ୍ର ସ୍ଵାକ୍ଷରକୁ ଦେଶରେ ପ୍ରଥମ ବୋଲି ପ୍ରଚାର କରାଯାଇଥିଲା ।
ଏହି ବୁଝାମଣା ପତ୍ର ଅନୁଯାୟୀ, ୨୦୨୧ ମସିହା ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ, ରେଳପଥ ନିର୍ମାଣ କାର୍ଯ୍ୟରେ ବିଶେଷ ଅଗ୍ରଗତି ହୋଇନାହିଁ ଏବଂ ବର୍ତ୍ତମାନ ମଧ୍ୟ ଉପେକ୍ଷାର ଅନ୍ତ ହୋଇନାହିଁ ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ପୂର୍ବତଟ ରେଳ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟକୁ ସ୍ଥାନୀୟ ଯାଦବ ଉବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରି ଅଭିଯୋଗ କରିଛନ୍ତି । ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ଵିନୀ ବୈଷ୍ଣବ ଦେଶର ରେଳମନ୍ତ୍ରୀ ଦାୟୀତ୍ଵ ନେବା ପରେ ମଧ୍ୟ ରାଜ୍ୟ ରାଜଧାନୀରୁ ଏହି ରେଳପଥ ଦ୍ଵାରା ସଂଯୋଗ ହେବାକୁ ଥିବା ଅଞ୍ଚଳର ଲୋକଙ୍କ ଭାଗ୍ୟ ବଦଳି ନାହିଁ । ଓଡ଼ିଶା ପ୍ରତି ରେଳ ବିଭାଗର ଉପେକ୍ଷାମୂଳକ ମାନସିକତା ଆଜିବି ବଳବତ୍ତର ରହିଛି ବୋଲି ପଣ୍ଡା କହିଛନ୍ତି । ବୁଝାମଣା ପତ୍ର ଅନୁସାରେ, ରାଜ୍ୟ ଓ କେନ୍ଦ୍ର ୫୦-୫୦ ଭାଗ ଅର୍ଥ ଖର୍ଚ୍ଚ କରିବା ସଙ୍ଗେ ରାଜ୍ୟ ମାଗଣାରେ ଜମି ହସ୍ତାନ୍ତର କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ, ୨୦୧୫ ମସିହା ରାଜିନାମା ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ର ୫୦-୫୦ ଭାଗ ଅର୍ଥ ଅଂଶ ଖର୍ଚ୍ଚ କରିନଥିବା ଶ୍ରୀ ପଣ୍ଡା କହିଛନ୍ତି । ୨୦୧୫ ୧୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୬ ବର୍ଷରେ ତଥା ରାଜିନାମା ସମୟସୀମା ମଧ୍ୟରେ ରେଳ ବିଭାଗ ସମୁଦାୟ ୧୦୯୦ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟ ପ୍ରଦାନ କରିଛି ମାତ୍ର ୪୮୩ କୋଟି ଟଙ୍କା । ରାଜ୍ୟ ୧୮ -୧୯ ଓ ୧୯-୨୦ ବର୍ଷରେ ଆଦୌ ଅର୍ଥ ପ୍ରଦାନ କରି ନଥିବା ଜଣାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୧ ବର୍ଷ ବଜେଟରେ ଏହି ରେଳପଥ ପାଇଁ ୧ ହଜାର ୫୦ କୋଟି ଟଙ୍କା ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ନିର୍ଦ୍ଦିଷ୍ଟ ରେଳପଥ ପାଇଁ ବିଗତ ୧୦ ବର୍ଷର କେବଳ ବଜେଟ୍ ଘୋଷଣାକୁ ଅନୁଧ୍ୟାନ କଲେ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥରାଶି ଘୋଷଣା କରାଯାଇଥିବା ବେଳେ ବାସ୍ତବରେ କିନ୍ତୁ ଖର୍ଚ୍ଚ କରାଯାଇଛି ମାତ୍ର ୧ ହଜାର ୩ ଶହ ୪୪ କୋଟି ଟଙ୍କା । ଏହି ନିର୍ମାଣାଧିନ ରେଳପଥ ପାଇଁ ରେଳ ବିଭାଗର ଦୀର୍ଘସୂତ୍ରୀ ଅବହେଳା ସମସ୍ତଙ୍କୁ ଜଣାଥିଲା । କିନ୍ତୁ, ୨୦୧୫ ମସିହା ରାଜିନାମାକୁ ଦେଖିଲେ ରାଜ୍ୟର ଅବହେଳା ମଧ୍ୟ କିଛି କମ୍ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଛୁପାଲି ଠାରୁ ଝାରତରଭା ଷ୍ଟେସନ ମାତ୍ର ୧୦.୩୫ କି.ମି. ଦୂରତା ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ରେଳ ଗଢିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ହେବା ଉପରେ କିନ୍ତୁ ଏହି ସ୍ଵଳ୍ପ ଦୂରତାକୁ ଧାର୍ଯ୍ୟ ସମୟ ମଧ୍ୟରେ ରେଳ ଚଳାଚଳ ସମ୍ପ୍ରସାରଣ ହେବା ଆଶା ଅତ୍ୟନ୍ତ କ୍ଷୀଣ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତଥା ୨୦୧୯ ମସିହା ଜାନୁଆରୀ ୧୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର-ବିଛୁପାଲି ଟ୍ରେନର ଲୋକାର୍ପଣ କରି ସମ୍ପୂର୍ଣ୍ଣ ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପ୍ରକାଶ କରିଥିଲେ । ହେଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବର୍ତ୍ତମାନ ଏହି ରେଳପଥକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦୨୪ ମସିହାକୁ ଧାର୍ଯ୍ୟ ସମୟ ଘୁଞ୍ଚାଇ ଦିଆଯାଇଛି, ହେଲେ ଦୀର୍ଘ ୬୮ କି.ମି. ପାଇଁ ଷ୍ଟେଜ ୧ ଜଙ୍ଗଲ ଜମି ଡାଇଭର୍ସନ ଅନୁମତି ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ଜଣାଯାଇଛି । ୧୯୯୪-୯୫ ମସିହାରେ ମଞ୍ଜୁରୀପ୍ରାପ୍ତ ଏହି ନିର୍ମାଣାଧିନ ପ୍ରକଳ୍ପ ପାଇଁ ୨୭ ବର୍ଷ ପରେ ବି ଜଙ୍ଗଲ ଜମି ଡାଇଭର୍ସନ ଷ୍ଟେଜ ୧ ଅନୁମତି ମିଳିନଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପକୁ ନେଇ କଥା ବେଶି, କାମ କମ୍ କୁ ଇଙ୍ଗିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।