କନ୍ଧମାଳ, ଓଡ଼ିଶାର ଜନସାଧାରଣଙ୍କର ବିଶେଷକରି ଆର୍ଥିକ ଅନଗ୍ରସର ଲୋକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାମାନ କରିଆସୁଛନ୍ତି । ତେବେ ବିଳମ୍ବ ହେଲେ ବି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିକଟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମ୍ବାଦପତ୍ର ହକର ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏକ ଐତିହାସିକ ଘୋଷଣା କରିବା ସହିତ ପ୍ରାୟ ୭ ହଜାର ୨୫୯ ଜଣଙ୍କ ବ୍ୟାଙ୍କ ହିସାବ ଖାତାକୁ ଡେବିଟି ମାଧ୍ୟମରେ ୬ ହଜାର ଟଙ୍କା ଲେଖାଏଁ ପଠାଇବାର ଶୁଭାରମ୍ଭ କରିଛନ୍ତି । ଯାହାକି ଭାରତବର୍ଷର କୌଣସି ରାଜ୍ୟରେ ତାହା ହୋଇନାହିଁ । ସେମାନଙ୍କୁ ସେମାନଙ୍କର ହକ୍ ଦେଇ ମୁଖ୍ୟମନ୍ତ୍ରୀ ବହୁତ ଖୁସି ବୋଲି ଜଣାଇଛନ୍ତି । ସେହିପରି ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା, ସାଧାରଣ ମୃତ୍ୟୁ ହେଲେ ୧ଲକ୍ଷ ଟଙ୍କା, ଦୁର୍ଘଟଣା ଯୋଗୁଁ ସମ୍ପୂର୍ଣ୍ଣ ଶାରିରୀକ ଅକ୍ଷମ ହୋଇଗଲେ ୧ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥ ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦେବା ସହିତ ଆଂଶିକ ଶାରିରୀକ ଅକ୍ଷମଙ୍କ ପାଇଁ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସରକାରଙ୍କର ଜନହିତକାରୀ ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଂଚାଇବାରେ ଏହି ହକରମାନେ ସେତୁ ଭଳି କାର୍ଯ୍ୟ କରୁଛନ୍ତି । ଡିଜିଟାଲ ଯୁଗରେ ମଧ୍ୟ ସମ୍ବାଦପତ୍ରର ଚାହିଦା କିଛି କମ୍ ନାହିଁ । ଏମାନେ ଖରା, ବର୍ଷା, ବାତ୍ୟା, ଝଡ଼, ଶୀତ, କାକର, ଏପରିକି କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟ ନିଜ ନିଜର ଜୀବନକୁ ବାଜି ଲଗାଇ ସେମାନଙ୍କର କାମ କରିଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କ୍ରମରେ ଆଜି କନ୍ଧମାଳ ଜିଲ୍ଲାର ୧୨୨ଜଣ ସମ୍ବାଦପତ୍ର ହକରଙ୍କ ବ୍ୟାଙ୍କ ହିସାବ ଖାତାକୁ ମଧ୍ୟ ୬ ହଜାର ଟଙ୍କା ଲେଖାଏଁ ପଠାଯିବା ବ୍ୟବସ୍ଥା କରାଯାଇଛି । ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିବା ୧୬ ହକରଙ୍କୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି.ପରିଚୟ ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କୁ ମଧ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ । ତେବେ, କେବେ ଓ କେଉଁଠାରେ ପ୍ରଦାନ କରାଯିବ ତାହା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଖୁବ୍ ଶିଘ୍ର ସୂଚନା ଦେବେ ।