
ପୁରୀ, ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ପୁରୀରେ ଖୋଲିଛି ”ନିମନ୍ତ୍ରଣ” ରେସ୍ତରାଁ । ପାନ୍ଥନିବାସ ପରିସରରେ ଓଟିଡିସି ପକ୍ଷରୁ ଏହି ରେସ୍ତରାଁ ଖୋଲାଯାଇଛି । ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ଓ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଓଡିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ । ପରିବାର, ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗଙ୍କ ନିମନ୍ତେ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବା ସହ ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି । ସ୍ବତନ୍ତ୍ର ଆଧୁନିକ ଝଲକରେ ନିର୍ମିତ ”ନିମନ୍ତ୍ରଣ”ର ଖାଇବା କୋଠରୀରେ ସୁବଦିନିଆ ସମୁଦ୍ରକୂଳିଆ ପବନ ସହ ଉପର ମହଲାରେ ସମୁଦ୍ରକୁ ଦେଖିବାର ମଜ୍ଜା ପର୍ଯ୍ୟଟକ ମାନେ ନେଇପାରିବେ । ଆଗନ୍ତୁକ ମାନଙ୍କୁ ଆତିଥ୍ୟତା ପ୍ରଦାନ ନିମନ୍ତେ ୩୨ ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି । ବ୍ଲୁଫ୍ଲାଗ ବିଚ୍ ସନ୍ନିକଟ ଏହି ରେସ୍ତରାଁ ବ୍ଲୁଫାଗ ବୁଲି ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ହେବା ନେଇ ବ୍ୟବସ୍ଥା କରାଯିବ । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପାନ୍ଥନିବାସ ପରିଚାଳକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।