
ଭୁୁବନେଶ୍ୱର, ରାଜ୍ୟର ଯୁବପିଢ଼ୀଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତାକୁ ପହଂଚାଇବା ପାଇଁ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସଦ୍ଭାବନା ସମାବେଶ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ସମ୍ବାଦିକ ସମ୍ମିଳନରେ କହିଛନ୍ତି ।
ଏହି ସମାବେଶରେ ବିଭିନ୍ନ ଜିଲ୍ଳାରୁ ସେବାଦଳ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ୨୬ ତାରିଖରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡଃ ଏ ଚେଲା କୁମାର ସବୁଜ ପତାକା ଦେଖାଇ ଉଦଘାଟନ କରିବେ । କଂଗ୍ରେସ ଭବନଠାରୁ ସେବାଦଳ କର୍ମୀମାନେ ଗଣ ପୋଷାକରେ ବାହାରି ୟୁନିଟ ୩ ଗୁରୁଦ୍ୱାର, ରାମମନ୍ଦିର, ସ୍କାଉଟ ଗାଇଡ଼ ଅଫିସ ଦେଇ ବୁଦ୍ଧ ମନ୍ଦିର, ରାଜଧାନୀ ମସଜିଦ ଓ କ୍ୟାଥୋଲିକ ଚର୍ଚ୍ଚ ଠାରୁ କେଶରୀ ଟକିଜ ଛକ ତଳ ରାସ୍ତାରେ ରାଷ୍ଟ୍ରୀୟ ଯୁବ ପ୍ରକଳ୍ପ କାର୍ଯ୍ୟାଳୟରେ ଡଃ ସୁବାରାଓଙ୍କ ଫଟୋରେ ପୁଷ୍ପାର୍ଘ ପ୍ରଦାନ କରି କଂଗ୍ରେସ ଭବନ ପଂହଚିବ । ସବୁ ଧର୍ମ ସଂସ୍ଥାର କର୍ମକର୍ତାଙ୍କୁ ଏହି ମହାନ କାର୍ଯ୍ୟରେ ଯୋଗାଦେବା ପାଇଁ ଅନୁରୋଧ କରାଯାଇଛି । ରାଲିକୁ ଆକର୍ଷଣୀୟ କରିବାପାଇଁ ବ୍ୟାଣ୍ଡ, ଲଉଡି ଖେଳ, ଘଂଟବାଦ୍ୟ, ଡଙ୍ଗରିଆ କନ୍ଧମାନଙ୍କ ବାଦ୍ୟ ଓ ନୃତ୍ୟ ଏବଂ ଖୋର୍ଦ୍ଧାର ପାଇକ ଝିଅ ଓ ପୁଅ ମାନଙ୍କ ଦ୍ୱାରା କ୍ରୀଡ଼ା କୌଶଳ ପ୍ରଦର୍ଶନ କରାଯିବ । ରାଲି କଂଗ୍ରେସ ଭବନ ଠାରେ ପହଂଚିବା ପରେ ଏକ ସଂକ୍ଷିପ୍ତ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଡଃ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ନିଖିଳ ଭାରତ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଲାଲଜୀ ଭାଇ ଦେଶାଇ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି ।
ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ କଂଗ୍ରେସ ସେବାଦଳ ପକ୍ଷରୁ ୧୯୮୩ ମସିହାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ବର୍ତମାନର ଇନ୍ଦିରା ପାର୍କ ସେତେବେଳର ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା,ସେହି କାର୍ଯ୍ୟକ୍ରମରେ ସେତେବେଳର ଏଆଇସିସି ସାଧାରଣ ସଂପାଦକ ଥିବା ସ୍ୱର୍ଗୀୟ ରାଜୀବ ଗାନ୍ଧୀ ଯୋଗଦେଇ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋରଞ୍ଜନ ଦାଶ, ଓବିସିି ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ସେବାଦଳ କର୍ମକର୍ତା ମହମ୍ମଦ ଶାହାଦୁଲ୍ଲା ଓ କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।