
ଭୁୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୭୨୦ ଜଣ ଟିଜିଟି କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା ।
ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି । ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ଟି ଶିକ୍ଷକ ପଦବୀ ମଧ୍ୟ ମଂଜୁର କରାଯାଇଛି । ଏବେ ଖାଲି ପଦବୀ ତଥା ନୂତନ ମଂଜୁରୀପ୍ରାପ୍ତ ପଦବୀକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅପ୍ରେଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।