
ଋଷିକୂଲ୍ୟା ମୁହାଣରେ ଟ୍ୟାଗିଂ କରାଯାଇଥିଲା । ଭାରତୀୟ ପ୍ରାଣୀ ବିଜ୍ଞାନ ସଂସ୍ଥା(ଜେଡ୍ଏସ୍ଆଇ) ଏବଂ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପଦକ୍ଷେପ ହାତକୁ ନିଆଯାଇଛି । ବୁଧବାର ପ୍ରଥମ ଦିନରେ ୧୧ଟି ଅଣ୍ଡିରା ଏବଂ ୧୧ଟି ମାଈ କଇଁଛକୁ ମିଶାଇ ମୋଟ ୨୨ଟି କଇଁଛର ଟ୍ୟାଗିଂ କରାଯାଇଥିଲା । ଚଳିତ ବର୍ଷ ପ୍ରାୟ ୧୦ ହଜାର କଇଁଛଙ୍କ ଟ୍ୟାଗିଂ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ କଇଁଛଙ୍କ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ । ଏଥି ସହିତ କେଉଁ ସଂସ୍ଥା ତରଫରୁ ଏହାର ଟ୍ୟାଗିଂ କରାଯାଇଛି, ସେସଂପର୍କରେ ବିବରଣୀ ଏବଂ ସଂପୃକ୍ତ ସଂସ୍ଥାର ଇ-ମେଲ ଠିକଣା ଲେଖା ଯାଇଛି । ଭବିଷ୍ୟତରେ ଯଦି ସେଇ କଇଁଛକୁ ଶ୍ରୀଲଙ୍କା କିମ୍ବା ଅନ୍ୟ କୌଣସି ସ୍ଥାନରେ ସ୍ଥାନୀୟ ଅଧିକାରୀ ଚିହ୍ନଟ କରନ୍ତି, ତେବେ ସେନେଇ ଟ୍ୟାଗିଂରେ ଥିବା ଇ-ମେଲ ଠିକଣାରେ ଯୋଗାଯୋଗ କରିବେ । ଯାହା ଦ୍ବାରା ଜଣାପଡ଼ିବ ଯେ, ଓଡ଼ିଶା ଉପକୂଳରୁ ଉକ୍ତ କଇଁଛ କେଉଁ କେଉଁ ଅଞ୍ଚଳକୁ ଯାଇଛି । ସେହିଭଳି ଆସନ୍ତା ବର୍ଷ ଅଣ୍ଡାଦାନ ପାଇଁ ଆସିଥିବା କଇଁଛଗୁଡ଼ିକ ମଧ୍ୟରୁ ଟ୍ୟାଗିଂ ଲାଗିଥିବା କଇଁଛକୁ ଚିହ୍ନଟ କରାଯିବ । ଏହା ଦ୍ବାରା ଚଳିତ ବର୍ଷ ଆସିଥିବା କଇଁଛ ଆସନ୍ତା ବର୍ଷ ଆସିଛି କି ନାହିଁ, ସେନେଇ ମଧ୍ୟ ସୂଚନା ମିଳିପାରିବ । କେବଳ ଏତିକି ନୁହଁ, ସମୁହ ମିଳନ ଏବଂ ଗଣଅଣ୍ଡାଦାନ ପରେ କଇଁଛମାନେ କୁଆଡ଼େ କୁଆଡ଼େ ଯାଉଛନ୍ତି, ସେନେଇ ସୂଚନା ମିଳିପାରିବ । ଭବିଷ୍ୟତରେ କଇଁଛଙ୍କ ଗତିପଥ, ବ୍ୟବହାର ଏବଂ ସେମାନଙ୍କ ଜୀବନ ଶୈଳୀ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ, ଯାହା ଗବେଷଣା ପାଇଁ ବେଶ୍ ସହାୟକ ହେବ । ଚଳିତ ବର୍ଷ ଜାନୁୟାରୀରରେ ପ୍ରାୟ ୨୫ ବର୍ଷ ପରେ ଟ୍ୟାଗିଂ ଆରମ୍ଭ ହୋଇଥିଲା । ସେହି ସମୟରେ ୧୫୫୬ଟି କଇଁଛର ଟ୍ୟାଗିଂ କରାଯାଇଥିଲା । ଏବେ ପୁଣି ଥରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ୩ଟି ଉପକୂଳକୁ ପ୍ରତିବର୍ଷ ଶ୍ରୀଲଙ୍କାରୁ ଅଲିଭ ରିଡଲେ କଇଁଛମାନେ ଗଣଅଣ୍ଡାଦାନ ପାଇଁ ଆସିଥାନ୍ତି । ହେଲେ ପୁରୀ ଜିଲାର ଦେବୀ ଏବଂ କେନ୍ଦ୍ରାପଡ଼ା ଜିଲାର ଗହିରମଥା ଅପେକ୍ଷା ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣ ପାଲଟିଥାଏ ବିରଳ ଅଲିଭ ରିଡଲେଙ୍କ ପ୍ରଥମ ପସନ୍ଦ । କ’ଣ ରହିଛି ଏହା ପଛର କାରଣ, ଋଷିକୂଲ୍ୟା ମୁହାଣରେ ଅଣ୍ଡଦାନ ପରେ କୁଆଡ଼େ ଯାଉଛନ୍ତି ଲକ୍ଷ ଲକ୍ଷ ଅଲିଭ ରିଡଲେ କଇଁଛ, ଏହାକୁ ନେଇ ବଡ଼ଧରଣର ଗବେଷଣା ଦିଗରେ ଟ୍ୟାଗିଂ ସହାୟକ ହେବ ।