ନୂଆଦିଲ୍ଲୀ, ବାଜରା ଓ ସେହି ଜାତୀୟ ଖାଦ୍ୟଶସ୍ୟର ଗୁରୁତ୍ୱକୁ ସ୍ୱୀକୃତି ପ୍ରଦାନ କରି ଭାରତ ସରକାର ୨୦୧୮କୁ ବାଜରାବର୍ଷ ଭାବେ ପାଳନ କରିଥିଲେ । ଏହି ବର୍ଷ ପାଳନର ପ୍ରଧାନ ଲକ୍ଷ୍ୟ ଥିଲା ବାଜରା ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବା । ଏହି ପ୍ରୟାସକୁ ଆହୁରି ଆଗେଇ ନେଇ ଭାରତ ସରକାର ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବ ଆଣି ୨୦୨୩କୁ ଆନ୍ତର୍ଜାତିକ ବାଜରାବର୍ଷ ଭାବେ ପାଳନ କରିବାକୁ ଅଗ୍ରଣୀଭୂମିକା ନିର୍ବାହ କରିଛନ୍ତି ।
ବାଜରାଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପୁଷ୍ଟିକର ଶସ୍ୟକୁ ସାମିଲ କରିବା ନୀତିରେ ବାଜରା ଅନ୍ତର୍ଭୁକ୍ତ ହୋଇଛି । ଏହା ବ୍ୟତୀତ ଅନେକ ରାଜ୍ୟରେ ବାଜରା(ମିଲେଟ) ମିଶନ ଗଠନ କରାଯାଇଛି ।
ଏହା ସତ୍ତ୍ୱେ ବାଜରାର ଉତ୍ପାଦନ, ବଣ୍ଟନ ଓ ବ୍ୟବହାର କ୍ଷେତ୍ରରେ ଅନେକ ସମସ୍ୟା ଏବଂ ଆହ୍ୱାନ ଖାଉଟିଙ୍କ ପାଇଁ ରହିଛି । ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଏବେ ଖାଦ୍ୟଶସ୍ୟ ଯୋଗାଣ କେବଳ କ୍ୟାଲୋରୀ ଯୁକ୍ତ ଶସ୍ୟ ପରିବର୍ତ୍ତେ ବିଭିନ୍ନ ପୁଷ୍ଟିକର ଖାଦ୍ୟଶସ୍ୟ ଓ ଭୋଜନ ଉପାଦାନ ଯୋଗାଇବାର ଆବଶ୍ୟକତା ପହଞ୍ôଚଛି । ଏଥିରେ ନାନାପ୍ରକାର ମୋଟାଶସ୍ୟ ଯଥା ବାଜରା, ଜୁଆର ଆଦି ପ୍ରାକ୍-ସ୍କୁଲ ପିଲା ଏବଂ ପ୍ରଜନନକ୍ଷମ ବୟସର ମହିଳାମାନଙ୍କୁ ଯୋଗାଇ ସେମାନଙ୍କ ପୁଷ୍ଟିସାଧନ ସ୍ଥିତିରେ ଉନ୍ନତି ଆଣିବାରେ ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ଯେଉଁ ସବୁ ଆହ୍ୱାନ ଓ ସମସ୍ୟା ରହିଛି ତାହାକୁ ଠାବ କରି ବ୍ୟବସ୍ଥିତ ଓ ସଫଳତାର ସହିତ ସେସବୁର ସମାଧାନ କରିବାକୁ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ମିଳିତଭାବେ ଆଗ୍ରହ ପ୍ରକାଶ କରିଛନ୍ତି ।
ଏଥିପାଇଁ ନୀତି ଆୟୋଗ, ଡବ୍ଲୁଏଫପି ସହିତ ଏକ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ ବା ଚୁକ୍ତି ୨୦୨୧ ଡିସେମ୍ବର ୨୦ତାରିଖରେ ସ୍ୱାକ୍ଷର କରିଛି । ଦୁଇ ସଂଗଠନ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ଅଂଶୀଦାରୀ ହୋଇଛି, ସେଥିରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଭୋଜନର ମୁଖ୍ୟଧାରାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ।
ଆହୁରି ମଧ୍ୟ ୨୦୨୩ ଆନ୍ତର୍ଜାତିକ ବାଜରା (ମିଲେଟ)ବର୍ଷ ଭାବେ ପାଳିତ ହେବାକୁ ଯାଉଥିବା ଅବସରରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଖାଦ୍ୟର ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଭାରତ ନେତୃତ୍ୱ ନେବାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସାହାଯ୍ୟ ସହଯୋଗ କରି ଏଥିରେ ଅଂଶୀଦାର ହେବ । ତା’ଛଡା ବିଭିନ୍ନ ଦେଶ ସହିତ ଭାରତ ଆବଶ୍ୟକ ଜ୍ଞାନ ଆଦାନପ୍ରଦାନ କରିବ । ଉଭୟପକ୍ଷ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ସ୍ଥିତିସ୍ଥାପକ ଜୀବିକା ବ୍ୟବସ୍ଥା ତିଆରି କରିବାରେ ମିଳିତଭାବେ କାମ କରିବେ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବାଜରା ଜାତୀୟ ମୋଟା ଶସ୍ୟ ଅଧିକ ଚାଷ କରିବାକୁ ଚାଷୀଙ୍କୁ ଆବଶ୍ୟକ ଦିଗ୍ଦର୍ଶନ ତଥା କୌଶଳ ଶିକ୍ଷା ଦେବେ । ଏହା ଫଳରେ ଭାରତ ଓ ବିଶ୍ୱର ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ ।
ଏହି ଚୁକ୍ତି ଫଳରେ ଭାରତରେ ଜଳବାୟୁ ଉପଯୋଗୀ କୃଷି ବ୍ୟବସ୍ଥା ନିର୍ମାଣ ପାଇଁ ଉଭୟପକ୍ଷ ମଧ୍ୟରେ ବୈଷୟିକ ସହଯୋଗ ରହିବ । ଏହାଫଳରେ ଖାଦ୍ୟ ଉତ୍ପାଦନ ବଢିବ ଏବଂ ଦେଶର ପୌଷ୍ଟିକ ନିରାପତ୍ତା ସୁନିଶ୍ଚିତ ହୋଇପାରିବ ।