-
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬, ଦାରିଙ୍ଗବାଡି ୪.୫ ଡିଗ୍ରୀ
କନ୍ଧମାଳ, କନ୍ଧମାଳ ଜିଲାରେ ଶୀତ ଲହରୀ ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଭାବରେ ଦୁଇ ଦିନ ହେଲା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ଫୁଲବାଣି ଅଂଚଳରେ ତୁଷାର ପାତ ଦେଖିବାକୁ ମିଳୁଛି । ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ବେଳେ ଫୁଲବାଣୀରେ ମଧ୍ୟ ଆଜି ତୁଷାର ପାତ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଫୁଲବାଣୀର କେତେକ ଯାଗାରେ ବାହାରେ ରଖାଯାଇଥିବା ଗାଡି ମୋଟର ସବୁ ଉପରେ ବରଫର ଆସ୍ତରଣ ବସିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହେବା ସହ ଭୀଷଣ ଶୀତରେ ମଧ୍ୟ ଅଂଚଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ସେହିଭଳି ଗତକାଲି ଫୁଲବାଣୀରେ ୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରିଙ୍ଗବାଡି ରେ ୩.୫ ଡିଗ୍ରୀ ତାପମାତ୍ରା ରହିଥିଲା ।
ସେହିପରି ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ ରହିଛି । ସମ୍ପୂର୍ଣ୍ଣ କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । ସକାଳ ନଅଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକଙ୍କ ଦୈନଦୀନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରବଳ ଶୀତ ଯୋଗୁଁ ଦିନ ମଜୁରିଆ ମାନେ କାମକୁ ଯାଇପାରୁ ନାହାନ୍ତି କି ବୁଢା କି ପିଲା ସମସ୍ତେ ଶୀତରୁ ରକ୍ଷା ପାଇବା ପାଇଁ ଦିନରାତି ନିଆଁ ଜାଳି ନିଆଁ ପାଖରେ ବସିରହୁଥିବା ଦେଖିବାକୁ ମିଳୁଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆହୁରି ଦୁଇରୁ ତିନି ଦିନ ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳିବ । ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଥଣ୍ଡାର ମଜା ନେବାପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଏହି ଶୀତ କାହା ପାଇଁ ଖୁସି ଆଣି ଦେଇଥିବା ବେଳେ ଆଉ କାହାପାଇଁ ଦୁଃଖ ଆଣିଦେଇଛି ।