ଭୁବନେଶ୍ୱର, ବିଧାନସଭା ଆସିଲେ ନାହିଁ, କିନ୍ତୁ ବ୍ୟାପକ ଅର୍ଥ ଖର୍ଚ୍ଚ କରି ଜିଲ୍ଲା ଜିଲ୍ଲା ବୁଲି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ କଲେ ମୁଖ୍ୟମନ୍ତ୍ରୀ । ମୂଲ୍ୟହୀନ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ କେବଳ ଆଗାମୀ ପଂଚାୟତ ଓ ପୈାର ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ବାଚନୀ ପ୍ରଚାରର ଅସ୍ତ୍ର ସାଜିଛି । ଉଭୟ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଏବଂ ବିଏସକେୱାଇ ଯୋଜନା କେବଳ ନିର୍ବାଚନୀ ପ୍ରଚାର ଧୂଆଁବାଣ । ଏହା ଦ୍ୱାରା ନା ରୋଗୀ ନା ଚିକିତ୍ସା ଯୋଗାଉଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ଉପକୃତ ହେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ଅଭିଯୋଗ କରିଛନ୍ତି ।
କମ୍ ପରିମାଣ ଅର୍ଥରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବ ନୁହେଁ ବୋଲି କହି ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନାରେ ରହିଥିବା ଚିକିତ୍ସା ସୀମା ଖର୍ଚ୍ଚକୁ ଘରୋଇ ଡାକ୍ତରଖାନା ପ୍ରତିଷ୍ଠାନ ବିରୋଧ କରିଛି । ଏହି ଯୋଜନାରେ ମହିଳାଙ୍କ ପାଇଁ ସର୍ବାଧିକ ୧୦ ଲକ୍ଷ ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଥିବା ରାଜ୍ୟ ସରକାରଙ୍କ ଘୋଷଣା ଆଦୈା ସତ ନୁହେଁ । କେଉଁ କେଉଁ ରୋଗର ଚିକିତ୍ସା କରାଯାଇପାରିବ ଏବଂ ଧାର୍ଯ୍ୟ ଚିକତ୍ସା ଖର୍ଚ୍ଚ ଉଲ୍ଲେଖ ହୋଇନାହିଁ । ପୋଡାଜଳା, ହୃଦରୋଗ, ମାନସିକ ବିକୃତ, କର୍କଟ ରୋଗ, ଯକୃତ ରୋଗ ଭଳି ବ୍ୟୟବହୁଳ ରୋଗ ପାଇଁ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ ବୋଲି ଘରୋଇ ଚିକିତ୍ସା ଅନୁଷ୍ଠାନ ଘୋଷଣା କରିସାରିଛି । ବିଏସକେୱାଇ ଯୋଜନାରେ ୨୪୦ଟି ଘରୋଇ ଡାକ୍ତରଖାନା ପଂଜିକୃତ କରିଛନ୍ତି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ଅନ୍ୟ ପଟେ ଘରୋଇ ଡାକ୍ତରଖାନା ଏହି ଯୋଜାନରେ ଅନ୍ତର୍ଭୁକ୍ତ ହେବାକୁ ସିଧାସଳଖ ବାରଣ କରୁଛନ୍ତି । ଏହା ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ପ୍ରତାରଣା ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ବାରମ୍ବାର ମିଛ କହି ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଥିବା ରାଜ୍ୟ ସରକାରଙ୍କ ଆଉ ଏକ ମିଥ୍ୟା ପୁଣି ଧରା ପଡିଲା । ସେବା ଓ ସୁବିଧା ନ ଯୋଗାଇ କେବଳ ଘୋଷଣାରେ ବଡ ବଡ ଯୋଜନା କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ନାଟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦ କରନ୍ତୁ ବୋଲି ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।