ଭୁବନେଶ୍ୱର, ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ୱସ୍ତରୀୟ ବିଡିଂ ଆହ୍ୱାନ କରାଯାଇଛି । ଆସନ୍ତା ୨୦୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ୧୨ଟା ରେ ମନ୍ତ୍ରଣାଳୟର ଅନଲାଇନ୍ ବିଡିଂ ପୋର୍ଟାଲରେ ଆବେଦନ ସମୟସୀମା ଶେଷ ହେଉଛି । ଏହି ନିଲାମୀ ପ୍ରକ୍ରିୟାରେ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ତୈଳ କ୍ଷେତ୍ରଗୁଡ଼ିକର ଆବଂଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ । ସପ୍ତମ ସ୍ତରର ମୁକ୍ତ ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଆଉ ଅତିରିକ୍ତ ୧୫,୭୬୬ ବର୍ଗ କିଲୋମିଟର ଅଂଚଳରେ ତୈଳ ଅନୁସନ୍ଧାନ ହୋଇପାରିବ । ଏହି ପରିମାଣକୁ ମିଶାଇଲେ ତୈଳ ଅନୁସନ୍ଧାନ ହେଉଥିବା କ୍ଷେତ୍ରର ପରିମାଣ ୨,୦୭,୬୯୨ ବର୍ଗ କିଲୋମିଟର ହେବ ।
ଗତ ମାର୍ଚ୍ଚ ୨୦୧୬ରେ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି (ହେଲ୍ପ) ସରକାର ମଞ୍ଜୁର କରିଥିଲେ । ଏଥିସହିତ ତୈଳ ଏବଂ ଗ୍ୟାସ୍ ଆମଦାନୀ କ୍ଷେତ୍ରରେ ନିର୍ଭରଶୀଳ ନ ହେବା ପାଇଁ ଏବଂ ତୈଳକ୍ଷେତ୍ର ଅନୁସନ୍ଧାନ ଦିଗରେ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି ବିଜ୍ଞାପନ ଆକାରରେ ୨୦୧୯ ମସିହାରେ ସରକାର ପ୍ରକାଶ କରିଥିଲେ । ଏଥିରେ ରାଜସ୍ୱ ଅପେକ୍ଷା ସର୍ବାଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ‘ହେଲ୍ପ’ କାର୍ଯ୍ୟକାରୀ ହେବା ଦିନଠାରୁ ଅନ୍ତଃର୍ଜାତୀୟ ମୁକ୍ତ ପ୍ରତିଯୋଗିତାମୂଳକ ତୈଳ କ୍ଷେତ୍ର ଅନୁସନ୍ଧାନ ନିମିତ ଏପର୍ଯ୍ୟନ୍ତ ୫ ଥରରେ ୧୦୫ଟି ବ୍ଲକ ନିମିତ ନିଲାମୀ ପ୍ରକ୍ରିୟା ଶେଷ ହେଲାଣି । ଷଷ୍ଠଥର ବ୍ଲକ ଆବଂଟନ ପ୍ରକ୍ରିୟା କାର୍ଯ୍ୟ ସମାପ୍ତି ଦିଗରେ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ୧୨୬ଟି ବ୍ଲକ ରହିଛି । ଏହା ମୋଟ ୧୮ଟି ଭୂସ୍ତରୀୟ ଉପତ୍ୟକାରେ ୧,୯୧,୯୨୬ ବର୍ଗ କିଲୋମିଟର ଅଂଚଳରେ ବ୍ୟାପ୍ତ ହୋଇଛି । ୬ଟି ଭୂସ୍ତରୀୟ ଉପତ୍ୟକା ଅନ୍ତର୍ଗତ ୧୫,୭୬୬ ବର୍ଗକିଲୋମିଟର ଅଂଚଳ ପାଇଁ ବର୍ତମାନର ଏହି ନିଲାମୀ ପ୍ରକ୍ରିୟା ଚାଲିଛି । ଭାରତୀୟ ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ରର ଏହି ନିଲାମୀ ପ୍ରକ୍ରିୟା ସରକାରଙ୍କ ଇଜ୍ଅଫ୍ ଡୁଇଙ୍ଗ୍ ବିଜି ନେସ କ୍ଷେତ୍ରକୁ ସମୃଦ୍ଧ କରିବ । ଏହି ନିଲାମୀ ପ୍ରକ୍ରିୟାର ସ୍ୱାତନ୍ତ୍ର୍ୟ ହେଲା ଏଥିରେ ତୈଳ ସେସ ରଖାଯାଇନାହିଁ, ରୟାଲଟି କମାଇ ଦିଆଯାଇଛି, ବଜାର ଏବଂ ଦର ନିର୍ଦ୍ଧାରଣ କ୍ଷେତ୍ରରେ ବିଡରମାନଙ୍କ ସ୍ୱାଧୀନତା ଭଳି ଅନେକ ସୁବିଧା ରଖାଯାଇଛି । ବର୍ତମାନ ପ୍ରକ୍ରିୟାର ୬ଟି ଭୂସ୍ତରୀୟ ଉପତ୍ୟକା ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ପଶ୍ଚିମ ଉପକୂଳ ରାଜ୍ୟ, ଆସାମ ଏବଂ କାବେରୀ ଉପତ୍ୟକାରେ ରହିଛି