-
ଜଗତସିଂହପୁର ଓ ଖୋର୍ଦ୍ଧାର ୨ ଆକ୍ରାନ୍ତ ନାଇଜେରିଆ ଓ କତାରରୁ ଫେରିଥିଲେ
-
ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ଓଡ଼ିଶାରେ ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ଜିନୋମ୍ ସିକ୍ୱେନ୍ସିଂରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଫେରିଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜଗତସିଂହ ପୁରର ହୋଇଥିବା ବେଳେ କଟକରେ ତାଙ୍କର ଚିକିତ୍ସା ଚାଲିଛି । ସେହିପରି ଆଉ ଜଣେ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ଆଇଏଲ୍ଏସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉଭୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ସେପଟେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲା ପରେ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଡକାଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ବସିଛି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେମାନେ ବିଦେଶରୁ ଆସିବା ପରେ ଆଇସୋଲେସନରେ ଥିଲେ । ଉଭୟଙ୍କ କଂଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି ଯେ ଜଣେ ୧୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ୧୦ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଉଭୟଙ୍କ ଉପରେ ନଜର ରଖାଯାଇଛି । ଏଥିନେଇ ଭୟଭୀତ ନ ହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପରାମର୍ଶ ଦେଇଛନ୍ତି ।
ଜଣଙ୍କର ଲକ୍ଷଣ ନଥିବା ବେଳେ ଅନ୍ୟ ଜଣଙ୍କର ସ୍ୱଳ୍ପ ଲକ୍ଷଣ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗତ ନଭେମ୍ବର ୨୧ ପରଠାରୁ ସର୍ଭେଲାନ୍ସରେ ରଖାଯାଇଥିଲା । ୮ ହଜାର ୮୦୦ରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ । ୧୬ଶହ ପାଖାପାଖି ଆଟ ରିସ୍କ କଂଟ୍ରିରୁ ଆସିଥିଲେ । ସେମାନଙ୍କ ଭିତରୁ ୧୨ ଜଣ ଆରଟିପିସିଆର ପଜିଟିଭ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ପଜିଟିଭ ନମୁନା ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ବାହାରି ନଥିଲା । ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନ୍ସିଂରୁ ୨ଜଣ ଓମିକ୍ରନ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ନିରଂଜନ ମିଶ୍ର ।